ରାଉରକେଲା ୨/୪,(ଉତ୍କଳ ସମାଚାର)ଶ୍ରୀ ସଙ୍କଟ ମୋଚନ ମନ୍ଦିର ପରିସରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆଜି ୨ ଏପ୍ରିଲ ଦିନ ପ୍ରାତଃ ୬ଟା ସମୟରେ ହନୁମାନଙ୍କ ବାଳ ରୂପ ଶୃଙ୍ଗାର, ପୁଷ୍ପ ସଜ୍ଜା ଏବଂ ଛପନ ଭୋଗର ଆୟୋଜନ କରାଯାଇଥିଲା। ମନ୍ଦିରର ପୂଜକମାନଙ୍କ ଦ୍ୱାରା ବିଧିବିଧାନ ପୂଜାର୍ଚ୍ଚନା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ମନ୍ଦିରକୁ ଫୁଲରେ ସଜାଯାଇଥିଲା। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।ଏହି ଅବସରରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ମଧ୍ୟାହ୍ନ ୧୨:୩୦ ସମୟରେ ଭଣ୍ଡାରା ଆୟୋଜନ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନେ ପ୍ରସାଦ ଗ୍ରହଣ କରିଥିଲେ। ରାଉରକେଲା ଏସପି ନୀତେଶ ୱାଧୱାନୀ ନିଜ ପରିବାର ସହ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ଆଜି ହନୁମାନ ଜନ୍ମୋତ୍ସବକୁ ନେଇ ସଙ୍କଟ ମୋଚନ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସଙ୍କଟ ମୋଚନ ମନ୍ଦିର ପରିସରରେ ଗତ ୧୯ ମାର୍ଚ୍ଚରୁ ଆଜି ୨ ଏପ୍ରିଲ ପର୍ଯ୍ୟନ୍ତ ହିନ୍ଦୁ ନବବର୍ଷ, ଚୈତ୍ର ନବରାତ୍ରୀ, ଶ୍ରୀରାମ ନବମୀ ଏବଂ ହନୁମାନ ଜନ୍ମୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।

