ରାଉରକେଲା ୨/୪,(ଉତ୍କଳ ସମାଚାର)ଭାରତୀୟ ରେଲୱେ କ୍ଯାଟରିଂ ଏଣ୍ଡ ଟୁରିଜିମ୍ କର୍ପୋରେସନ ଲିମିଟେଡ ପକ୍ଷରୁ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ୨୦୨୬ ମେ ୧୧ ତାରିଖରୁ ୬ଟି ଜ୍ଯୋତିର୍ଲିଙ୍ଗ ଏବଂ ଶିରିଡି ଯାତ୍ରା ଅଭିମୁଖେ ବାହାରିବ ବୋଲି ଆଜି ରାଉରକେଲା ରେଳଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରେ ଥିବା ଆଇଆରସିଟିସି, ରାଞ୍ଚି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ବିଶେଷ ଭାରତ ଗୌରବ ଟୁରିଷ୍ଟ ଇ.ଜେଡ୍.ବି.ଜି. ୩୦ ଟ୍ରେନ୍ ଝାରସୁଗୁଡ଼ାରୁ ୨୦୨୬ ମେ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୧ ରାତି ୧୨ ଦିନ ୬ଟି ଜ୍ଯୋତିର୍ଲିଙ୍ଗ ଏବଂ ଶିରିଡି ଯାତ୍ରା ଅଭିମୁଖେ ବାହାରି ଭାରତର ପ୍ରମୁଖ ଜ୍ଯୋତିର୍ଲିଙ୍ଗ ଏବଂ ପ୍ରସିଦ୍ଧ ମନ୍ଦିର ଦର୍ଶନ କରାଇବ ବୋଲି ସୂଚନା ଦିଆଯାଇଛି। ଏହି ପ୍ରସିଦ୍ଧ ତୀର୍ଥ ଓ ଦର୍ଶନୀୟ ସ୍ଥଳ ମଧ୍ଯରେ ଉଜ୍ଜୟନୀର ଶ୍ରୀ ମହାକାଳେଶ୍ଵର ଜ୍ଯୋତିର୍ଲିଙ୍ଗ ଏବଂ ଓଁକାରେଶ୍ଵର ଜ୍ଯୋତିର୍ଲିଙ୍ଗ, ସୋମନାଥରେ ଶ୍ରୀ ସୋମନାଥ ଜ୍ଯୋତିର୍ଲିଙ୍ଗ, ଦ୍ବାରକାରେ ଶ୍ରୀ ଦ୍ବାରକାଧୀଶ ମନ୍ଦିର ଓ ଶ୍ରୀ ନାଗେଶ୍ଵର ଜ୍ୟୋତିର୍ଲିଙ୍ଗ, ଶିରିଡିରେ ଶ୍ରୀ ସାଇ ଦର୍ଶନ, ନାଶିକରେ ଶ୍ରୀ ଶ୍ବଓ୍ବେଂକେଶ୍ବର ଜ୍ଯୋତିର୍ଲିଙ୍ଗ, ଔରଙ୍ଗାବାଦରେ ଶ୍ରୀ ଧୃଷ୍ଣେଶ୍ବର ଜ୍ଯୋତିର୍ଲିଙ୍ଗ ଇତ୍ଯାଦି। ଏହି ଯାତ୍ରା ଭାରତ ସରକାରଙ୍କ “ଦେଖୋ ଆପନା ଦେଶ” ଏବଂ “ଏକ ଭାରତ ଶ୍ରେଷ୍ଠ ଭାରତ” ଅଭିଯାନରେ ଆୟୋଜିତ କରାଯାଉଛି ବୋଲି ଆଇଆରସିଟିସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅଭିଯାନର ଉଦ୍ଦେଶ୍ଯ ଘରୋଇ ପର୍ଯ୍ଯଟନକୁ ବଢାଇବା ଏବଂ ସାଂସ୍କୃତିକ ଏକତାକୁ ପ୍ରୋତ୍ସାହିତ କରିବା ତଥା ଦେଶର ବିଭିନ୍ନ କ୍ଷେତ୍ରରେ ନାଗରିକଙ୍କୁ ଭାବନାତ୍ମକ ଭାବରେ ଯୋଗ କରିବା। ଆଇଆରସିଟିସି ପକ୍ଷରୁ ସୂଚନା ଦିଆଯାଇଛି ଯେ ହୋଟେଲରେ ରହିବା ସ୍ଥାନ ମଧ୍ଯରେ ରହିଛି ଝାରସୁଗୁଡ଼ା, ରାଉରକେଲା, ରାଞ୍ଚି, ବୋକାରୋ, ହଜାରିବାଗ, କୋଡରମା, ଗୟା, ରାଜଗୀର, ବିହାର ଶରିଫ, ପାଟନା, ବକ୍ସର, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଂକସନ୍। ଏହି ତୀର୍ଥଯାତ୍ରା ପାଇଁ ପ୍ରତି ଯାତ୍ରୀଙ୍କ ପାଇଁ ଶୟନ ବା ସ୍ଲିପର କ୍ଲାସ୍ (ନନ୍ ଏସି)ରେ ଦେୟ ୨୩,୩୧୫ ଟଙ୍କା। ତୃତୀୟ ଏସି ପାଇଁ ଦେୟ ୪୧,୫୭୦ ଟଙ୍କା ଏବଂ ଦ୍ବିତୀୟ ଏସି ପାଇଁ ଦେୟ ୫୦,୪୧୦ ଟଙ୍କା ଦେବାକୁ ପଡିବ ବୋଲି ଆଇଆରସିଟିସି ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ଏହି ତୀର୍ଥଯାତ୍ରା ପାଇଁ ଆଇଆରସିଟିସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ଚୌଧୁରୀ ଏବଂ ମୋଇନ ବ୍ରତ ସୂଚନା ଦେଇ କହିଥିଲେ ଯେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ସକାଳ, ମଧ୍ଯାହ୍ନ, ସନ୍ଧ୍ଯା ଓ ରାତ୍ରିରେ ଭୋଜନ ସହିତ ଦୁଇ ବୋତଲ ପାନୀୟ ଜଳର ବ୍ଯବସ୍ଥା ସହ ତୀର୍ଥସ୍ଥଳୀକୁ ବିନାବାତାନୁକୁଳିତ ବା ନନ୍ଏସି ବସର ବ୍ଯବସ୍ଥା କରାଯାଇଛି।

