ରାଉରକେଲା ୨/୪,(ଉତ୍କଳ ସମାଚାର) ଏକ ସଶକ୍ତ ଓ ବିକଶିତ ରାଷ୍ଟ୍ର ଗଠନର ଉଦ୍ଦେଶ୍ୟ ନେଇ ଏପ୍ରିଲ ୧ ତାରିଖରୁ ରାଜ୍ୟବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଥିବା ବେଳେ ଏଥିରେ ସମସ୍ତ ରାଉରକେଲାବାସୀଙ୍କ ସହଯୋଗ କାମନା କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍। ସୁଶ୍ରୀ ଦସ୍ତଗୀର୍ କହିଛନ୍ତି ଯେ, “ଆମର ଜନଗଣନା, ଆମର ବିକାଶ। ତେଣୁ ଜନଗଣନାକୁ ଅଧିକ ସହଜ ଓ ସରଳ କରିବା ଉଦ୍ଦେଶ୍ୟରେ ପ୍ରଥମ କରି ୨୦୨୬ ଏପ୍ରିଲ ୧ରୁ ଏପ୍ରିଲ୍ ୧୬ ତାରିଖ ପର୍ଯ୍ୟନ୍ତ ସ୍ଵ-ଗଣନା ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ଜନସାଧାରଣ ପଞ୍ଜୀକୃତ ହେବାକୁ ଆହ୍ଵାନ ଦିଆଯାଉଛି।” ଜଣେ ଘରେ ବସି ନିଜର ସମସ୍ତ ତଥ୍ୟ ଜନଗଣନା ପୋର୍ଟାଲ ରେ ଦାଖଲ କରିପାରିବ। ସମସ୍ତ ତଥ୍ୟ ଦାଖଲ ପରେ ଯେଉଁ ସ୍ଵ-ଗଣନା ଆଇଡି ସ୍ରୁଷ୍ଟି ହେବ, ତାହାକୁ ପାଖରେ ରଖିବା ସହ ଘରକୁ ଆସିବାକୁ ଥିବା ଗଣନାକାରୀଙ୍କ ନିକଟରେ ଉକ୍ତ ଆଇଡି ଦାଖଲ କରି ନିଜର ଜନଗଣନା ପ୍ରକ୍ରିୟା ସମ୍ପନ୍ନ କରି ପାରିବେ। ଏପ୍ରିଲ ୧୬ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ଜନଗଣନାର ପ୍ରଥମ ପର୍ଯ୍ୟାୟ ତଥା ଗୃହ ଗଣନା ଆରମ୍ଭ ହେବାକୁ ଥିବା ବେଳେ ଘରକୁ ଆସିବାକୁ ଥିବା ଗଣନାକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍। ଏଥିସହ ଏକ ସଶକ୍ତ ଓ ବିକଶିତ ରାଷ୍ଟ୍ର ଗଠନ ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ଵାନ ଦିଆଯାଇଛି।

