ସମ୍ବଲପୁର,୦୪/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ସରକାରୀ ପାଣ୍ଠି ହରିଲୁଟ୍ର ଏକ ବଡ଼ ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ। ଜିଲ୍ଲା ଅବକାରୀ ବିଭାଗରେ ପ୍ରାୟ ୩.୬୭ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ ବିଭାଗର ନିଲମ୍ବିତ ଜୁନିୟର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ କର୍ମଚାରୀ ଶରତ ଚନ୍ଦ୍ର ବେହେରା। ପୋଲିସ ସୂଚନା ଅନୁଯାୟୀ, ୨୦୨୨ ନଭେମ୍ବରରୁ ୨୦୨୫ ଅକ୍ଟୋବର ମଧ୍ୟରେ ଏହି ବଡ଼ ଧରଣର ଜାଲିଆତି ଚାଲିଥିଲା। ପୋର୍ଟାଲ୍ର ଅପବ୍ୟବହାର କରି ଜଣେ ଅବସରପ୍ରାପ୍ତ ଏସଆଇ ଅଚ୍ୟୁତ ଦେହୁରୀଙ୍କ ନାମରେ ନକଲି ସାଙ୍କସନ୍ ଅର୍ଡର ପ୍ରସ୍ତୁତ କରାଯାଇ ପେନସନ୍ ଏବଂ ବକେୟା ଦରମା ବାବଦକୁ ଏହି ବିପୁଳ ଅର୍ଥ ହଡ଼ପ କରାଯାଇଥିଲା। ଅଭିଯୁକ୍ତମାନେ ସରକାରୀ ବିଲ୍ ରେଜିଷ୍ଟର ଏବଂ କ୍ୟାଶ୍ ବୁକ୍ରେ ଜାଲିଆତି କରିଥିଲେ। ଅଡିଟ୍ ସମୟରେ ଏହି ଆର୍ଥିକ ଅନିୟମିତତା ଜଣାପଡ଼ିବା ପରେ ଅବକାରୀ ବିଭାଗର ଡେପୁଟି କମିଶନରଙ୍କ ରିପୋର୍ଟ ଆଧାରରେ ଅଇଂଠାପାଲି ଥାନା କେଶ ନଂ ୭୩ ରେ ମାମଲା ରୁଜୁ ହୋଇଥିଲା I ସମ୍ବଲପୁର ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨୩,୪୬,୫୦୦ ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୪ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ପଟ୍ଟନାୟକଙ୍କୁ ମାର୍ଚ୍ଚ ୨୮ ଏବଂ ଶରତ ବେହେରାଙ୍କୁ ମାର୍ଚ୍ଚ ୩୧ରେ ଗିରଫ କରାଯାଇଛି। ଏହି ମହାଘୋଟାଲାରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
