ରାଉରକେଲା ୪/୪,(ଉତ୍କଳ ସମାଚାର) ଦକ୍ଷିଣ-ପୂର୍ବ ରେଳବାଇର ମହାପ୍ରବନ୍ଧକ ସୌମିତ୍ର ମଜୁମଦାରଙ୍କ ଆଜି ରାଉରକେଲା ଗସ୍ତ ସମୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରେଳବାଇର ମହାପ୍ରବନ୍ଧକ (ଜିଏମ୍)ଙ୍କୁ ଭେଟି ରାଉରକେଲା ରେଳଷ୍ଟେସନର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ତାଙ୍କ ସମର୍ଥକମାନଙ୍କ ସହିତ ଆଜି ରାଉରକେଲା ଷ୍ଟେସନ ପରିସରରେ ଥିବା ସଭାଗୃହରେ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ) ସୌମିତ୍ର ମଜୁମଦାରଙ୍କୁ ଭେଟିବା ସହ ରେଳଷ୍ଟେସନରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଚକ୍ରଧରପୁର ରେଳବାଇ ଡିଆରଏମ ତରୁଣ ହୁରିଆଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଜୁ ଜନତା ଦଳର ରାଉରକେଲା ପୌର ପରିଷଦର କାଉନସିଲର ଗଗନ ପଣ୍ଡା, ବିଜୁ ଜନତା ଦଳର ମୁଖପାତ୍ର ଜୟନ୍ତ କୁମାର ମିଶ୍ର, ବରିଷ୍ଠ ନେତା ବୀରେନ୍ଦ୍ର ସେନାପତି, ପ୍ରଶାନ୍ତ ସେଠୀ, ପିଙ୍କୁ ଜୟସ୍ୱାଲ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା ଏବଂ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ।ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ସୌମିତ୍ର ମଜୁମଦାରଙ୍କୁ ଏହି ଆଲୋଚନା ସମୟରେ, ରାଉରକେଲା ରେଳଷ୍ଟେସନକୁ ତାଙ୍କର ଗସ୍ତ ଏବଂ ସମସ୍ତ ରେଳବାଇ ଅଧିକାରୀଙ୍କୁ ଡାକି ଆଲୋଚନା କରିଥିବା ଦୃଷ୍ଟିରୁ ରେଳବାଇ ଜିଏମ୍ ଶ୍ରୀ ମଜୁମଦାରଙ୍କୁ ଧନ୍ୟବାଦ ଦେଇଥିଲେ। ବିଧାୟକ ଶ୍ରୀ ନାୟକ, ରେଳବାଇ ଜିଏମଙ୍କ ନିକଟରେ ଦାବି କରିଛନ୍ତି ଯେ, ପୂର୍ବରୁ ରାଉରକେଲା ଏବଂ ରାଉରକେଲା ରେଳଷ୍ଟେସନ୍ ଦେଇ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ପାଇଁ ମାଲଗାଡି ଅଟକି ଯାଉଥିଲା। କିନ୍ତୁ ବର୍ତ୍ତମାନ ମାଲଗାଡି ବା ମାଲବାହୀ ଟ୍ରେନ ପାଇଁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ ଅଟକି ଯାଉଛି। ଏହାଦ୍ବାରା ପାସେଞ୍ଜର ଆସୁଥିବା ଟୁରିଷ୍ଟ ଓ ରେଳଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ବର୍ତ୍ତମାନ ପାସେଞ୍ଜର ଟ୍ରେନକୁ ପ୍ରଧାନ୍ୟ ଦେଇ ପୁନଃ ଚଳାଇବା ପାଇଁ ଆଲୋଚନା ସମୟରେ ମହାପ୍ରବନ୍ଧକଙ୍କୁ ଦାବି କରିଛନ୍ତି।ରାଉରକେଲା ବିଧାୟକ ରେଳବାଇରେ ଥିବା ରାଉରକେଲା ରେଳଷ୍ଟେସନର ଗାଡି ମୋଟର ପାର୍କିଂ ବ୍ଯବସ୍ଥାକୁ ନେଇ ଜିଏମ୍ ଶ୍ରୀ ମଜୁମଦାରଙ୍କୁ ଜଣାଇଥିଲେ ଯେ, ବସଷ୍ଟାଣ୍ଡ, ମଲ୍ ଭଳି ସ୍ଥାନରେ ଗାଡି, ମୋଟର ପାଇଁ ମୁକ୍ତ ପାର୍କିଂ (ଫ୍ରି ପାର୍କିଂ) ବ୍ଯବସ୍ଥା ଥିବାବେଳେ, ରାଉରକେଲା ରେଳଷ୍ଟେସନ୍ ଗାଡି, ମୋଟର ପାର୍କିଂ ବ୍ଯବସ୍ଥାରେ ଫାଇନ୍ ବା ଜୋରିମାନା ବ୍ୟବସ୍ଥା। ଯାହାକି ଘଣ୍ଟା ହିସାବରେ ଆଦାୟ କରାଯାଉଛି। ବିଧାୟକ ଶ୍ରୀ ନାୟକ ଆଲୋଚନା ସମୟରେ ଶ୍ରୀ ମଜୁମଦାରଙ୍କୁ କହିଥିଲେ ଯେ, ରାଉରକେଲା ରେଳଷ୍ଟେସନର ପ୍ଲାଟଫର୍ମକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ସମ୍ମୁଖରେ ୪୦୦ରୁ ୫୦୦ ଲୋକ ଶୋଇ ରହୁଥିବା ବିଷୟରେ। ତେଣୁ ସେହି ଳଯାତ୍ରୀମାନଙ୍କ ପାଇଁ ବିକଳ୍ପ ବ୍ଯବସ୍ଥା କରି ରାଉରକେଲା ରେଳଷ୍ଟେସନର ଏକ ସୁସ୍ଥ ବାତାବରଣରେ ଫେରାଇ ଆଣିବା ନିମନ୍ତେ ଆଲୋଚନା କରିଛନ୍ତି। ଏଥିସହିତ ଅନ୍ଯ ରେଳ ଷ୍ଟେସନ ସମ୍ମୁଖରେ ବିଭିନ୍ନ ସ୍ଥାନ ସମେତ ପାଣି, ଶୌଚାଳୟ, ହୋଟେଲ ଓ ରେଷ୍ଟୁରାଣ୍ଟକୁ ଯିବା ପାଇଁ ସୂଚନା ଫଳକ ବା ନିର୍ଦ୍ଦେଶ ବୋର୍ଡ ଲଗାଯାଇଥିବା ବେଳେ, ରାଉରକେଲା ରେଳଷ୍ଟେସନରେ ଏହି ବ୍ୟବସ୍ଥାକୁ କାର୍ଯ୍ଯକାରୀ କରିବା ପାଇଁ ଦାବି ଜଣାଇଛନ୍ତି। ସେହିପରି ରାଉରକେଲା ରେଳଷ୍ଟେସନ୍ ପ୍ରବେଶ ଓ ପ୍ରସ୍ଥାନ ପଥ ସମେତ ପାଚେରୀ ସମ୍ମୁଖରେ ଥିବା ଦୋକାନୀଙ୍କ ଥଇଥାନ ବ୍ଯବସ୍ଥା କରିବା। ବନ୍ଧମୁଣ୍ଡା ଅଞ୍ଚଳର ପରିସ୍କାର, ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାକୁ।ଏହି ସମସ୍ତ ବିଷୟକୁ ନେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଦକ୍ଷିଣ-ପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ବା ମହାପ୍ରବନ୍ଧକ ସୌମିତ୍ର ମଜୁମଦାରଙ୍କ ସହ ଆଲୋଚନା କରିବା ସହିତ ଯଦି ଏସବୁ ବିଷୟ ପ୍ରତି ଶ୍ରୀ ମଜୁମଦାର ଧ୍ଯାନ ନଦିଅନ୍ତି, ତେବେ ରାଉରକେଲା ଜନସାଧାରଣଙ୍କ ପକ୍ଷରୁ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

