ରାଉରକେଲା ୫/୪,(ଉତ୍କଳ ସମାଚାର) ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ସୁନ୍ଦରଗଡ଼ ୟୁନିଟର ରାଉରକେଲା ଶାଖା ପକ୍ଷରୁ ଆଜି ଅମର ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ସାମାଜିକ ସଂସ୍ଥା ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ରାଉରକେଲାରେ ଦୀପାବଳି ସ୍ନେହ ମିଳନ ଅବସରରେ ଅଗ୍ରୱାଲ ପରିବାରର ପିଲାମାନଙ୍କ ବିବାହ ମାତ୍ର ୨,୫୧,୦୦୦ ଟଙ୍କାରେ ସମ୍ପନ୍ନ କରିବାକୁ ଘୋଷଣା କରାଯାଇଛି। ଅତି ସୁନ୍ଦର ଏବଂ ସୁନିୟୋଜିତ ଭାବେ ବିବାହ ସମ୍ପନ୍ନ କରିବାକୁ ଘୋଷଣା କରାଯାଇଛି। ଏହି କ୍ରମରେ ସଂସ୍ଥା ପକ୍ଷରୁ ଗତ ୨୦୨୬ ଫେବୃଆରୀ ୧୯ ତାରିଖରେ ହୋଟେଲ ରାଧିକା ରିଜେନ୍ସିଠାରେ ଏକ ଯୋଡ଼ିଙ୍କ ବିବାହ ଅତି ସ୍ୱତନ୍ତ୍ର ଶୈଳୀରେ କରାଯାଇଥିଲା। ଆଗାମୀ ଦିନରେ ଯଦି ଅଗ୍ରୱାଲ ସମାଜର କୌଣସି ନିମ୍ନ ବର୍ଗ ବା ଆର୍ଥିକ ଅନଗ୍ରସର ପରିବାର ନିଜ ପିଲାମାନଙ୍କର ବିବାହ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିବ ବୋଲି ସଭାପତି ବିନୋଦ ବାଲ୍ଟିୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ୨ ଲକ୍ଷ ୫୧ ହଜାର ଟଙ୍କାରେ ଏକ ନାମୀ ହୋଟେଲରେ ୨୫ଟି ଏସି ରୁମ୍ (AC Rooms) ସହିତ ଗୋଟିଏ ହଲ୍ ଏବଂ ୧୦୦ ଜଣଙ୍କ ପାଇଁ ତିନି ଓଳି ଖାଇବାର ବ୍ୟବସ୍ଥା ରହିଛି। ଏଥିସହିତ ବର-କନ୍ୟାଙ୍କ ପାଇଁ ମାଳ, ୧୧ଟି ଶାହଜି ମାଳା ଏବଂ ୧୧ କିଲୋ ମିଠାର ପେଡି ସମସ୍ତ ଉପଲବ୍ଧ ହେବ। ୨୪ ଘଣ୍ଟା ଚା ଏବଂ ବିସ୍କୁଟର ବ୍ୟବସ୍ଥା ମଧ୍ୟ ରହିଛି। କନ୍ୟା ପକ୍ଷ ଏବଂ ବର ପକ୍ଷଙ୍କୁ କୌଣସି ପ୍ରକାର ପ୍ରସ୍ତୁତି କରିବାକୁ ପଡ଼ିବ ନାହିଁ, ସେମାନଙ୍କୁ କେବଳ ସଜ୍ଜିତ ଫୁଲ (Flower Decoration)ର ଖର୍ଚ୍ଚ ବହନ କରିବାକୁ ହେବ। ବାକି ସମସ୍ତ ବ୍ୟବସ୍ଥା ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ଶାଖା ପକ୍ଷରୁ କରାଯିବ ବୋଲି ସୂଚନା ଦିଆଯାଇଛି। ଆଗାମୀ ଦିନରେ ଅଗ୍ରୱାଲ ପରିବାର ଏହି ସଂସ୍ଥାକୁ ସେବା କରିବାର ସୁଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ଅଗ୍ରୱାଲ ସମ୍ମେଳନ ରାଉରକେଲା ଶାଖାର ସମ୍ପାଦକ ମନୀଷ ତୋଦି, କୋଷାଧ୍ୟକ୍ଷ ସତୀଶ ଅଗ୍ରୱାଲ, କାର୍ଯ୍ୟକାରୀ ସଦସ୍ୟ କୈଳାଶ ଅଗ୍ରୱାଲ, ସୁଭାଷ ଶ୍ୟାମପୁରିଆ, ମୁକେଶ କେଡିଆ, ମନୋଜ ଅଗ୍ରୱାଲ, ସୁନୀଲ ବଂଶଲ, ଋଷି ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

