ନରସିଂବାଘ ତା.15-04-26:(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବାଗାଁ ପଞ୍ଚାୟତର ଡୁମୁରିମୁଣ୍ଡା ଗ୍ରାମରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଗୁରୁତର ବିବାଦ ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଛି।ଗ୍ରାମର ୭୦ ବର୍ଷୀୟା ମହିଳା ରାୟମତି ଗଣ୍ଡଙ୍କ ଦେହାନ୍ତ ପରେ, ତାଙ୍କର ଶବ ସତ୍କାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ତଣାତଣି ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ମୃତକା ଓ ତାଙ୍କ ପରିବାର ଗତ ତିନି ବର୍ଷ ଧରି ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିଲେ।ଏହି କାରଣରୁ ଗ୍ରାମର କିଛି ହିନ୍ଦୁ ଧର୍ମାଲମ୍ବୀ ଗାଁ ସ୍ମଶାନରେ ଶବ ସତ୍କାର ପାଇଁ ଜାଗା ଦେବାକୁ ଅସ୍ୱୀକାର କରିଥିଲେ। ଫଳସ୍ୱରୂପ, ମୃତଦେହ ପ୍ରାୟ ୨୪ ଘଣ୍ଟା ଧରି ଘରେ ପଡ଼ି ରହିଥିଲା ଓ ପରିସ୍ଥିତି ତୀବ୍ର ହୋଇଯାଇଥିଲା।ଘଟଣା ବିଷୟରେ ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳକୁ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ତଥାପି, ଦୀର୍ଘ ସମୟ ପର୍ଯ୍ୟନ୍ତ ଶବ ସତ୍କାରକୁ ନେଇ ବିବାଦ ଚାଲିଥିଲା ଏବଂ ସମାଧାନର ରାସ୍ତା ବାହାରୁନଥିଲା।ଶେଷରେ, ପ୍ରଶାସନୀୟ ହସ୍ତକ୍ଷେପ ଓ ଦୀର୍ଘ ଆଲୋଚନା ପରେ ପ୍ରାୟ ୩୦ ଘଣ୍ଟା ପରେ ମୃତଦେହର ସତ୍କାର କାର୍ଯ୍ୟ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି।ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଓ ତଣାତଣି ଜାରି ରହିଛି।
