ସୁନ୍ଦରଗଡ଼,15//4,(ଉତ୍କଳ ସମାଚାର)ଜିଲ୍ଳା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ର ଅନ୍ତିମ ଦିବସରେ ଆଜି ଓଡ଼ିଆ ନବବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ଯକ୍ଷ ଶ୍ରୀ ସନ୍ତୋଷ ଅମାତ, ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଅମାତ ଓଡ଼ିଆ ପକ୍ଷ ପାଳନ ଏବଂ ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଓଡିଆ ପକ୍ଷ ପାଳନ ମାଧ୍ୟମରେ ୧୪ ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆମ ନିଜ ଭାଷା, ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଏହାକୁ ସୁଦୂର ପ୍ରସାରିତ କରିବାରେ ସରକାରଙ୍କ ଏକ ଅଭିନବ ଏବଂ ବଳିଷ୍ଠ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ଆମ ଭାଷା, କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବାରେ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଓଡ଼ିଆ ନବବର୍ଷ ଆମର ପରିଚୟ। ଆମ ସଂସ୍କୃତି , ପରମ୍ପରା କୁ ବଞ୍ଚାଇ ରଖିବା ନିମନ୍ତେ ଏହାକୁ ମହା ଆଡ଼ମ୍ବରରେ ପାଳନ କରିବା ଆବଶ୍ୟକ । ଆମ ଗୌରବମୟ ଐତିହ୍ୟ କୁ ବଞ୍ଚାଇ ରଖିବା ସହିତ ଏହାକୁ ବିଶ୍ୱ ଦରବାର ରେ ପହଞ୍ଚାଇବା ଆମ ସମସ୍ତଙ୍କ ଗୁରୁ ଦାୟିତ୍ଵ ବୋଲି ଅତିଥି ମାନେ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମହିଳା ମାନଂକ ମାନଙ୍କ ମଧ୍ୟରେ ପାରମ୍ପରିକ ଝୋଟି ମୁରୁଜ, ହୁଳହୁଳି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଏବଂ ଏଥିରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କବି ଓ କବୟତ୍ରୀ ମାନଙ୍କ ମଧ୍ୟରେ କବିତା ପାଠ କରାଯାଇଥିଲା। ସେହିଭଳି ମହିଳା ମାନଙ୍କ ଦ୍ଵାରା ଆଧ୍ୟାତ୍ମିକ ଓ ଦେଶତ୍ମୋବୋଧକ ଗୀତ ପରିବେଷଣ କରାଯାଇଥିଲା। ଏହି ଅବସରରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ଅନୁସାରେ ପଣା, ବିଭିନ୍ନ ପ୍ରକାର ପିଠା ତଥା ଅନ୍ୟାନ୍ୟ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ଏବଂ ଅତିଥି ଏବଂ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ପରଷା ଯାଇଥିଲା। କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଅନ୍ୟାନ୍ୟ ଅଧିକାରୀ , ବରିଷ୍ଠ ନାଗରିକ ସଙ୍ଘର ସଦସ୍ୟ ସଦସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏବଂ ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

