ସମ୍ବଲପୁର,୧୫/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ସାରା ସମ୍ବଲପୁର ସହର ଆଧ୍ୟାତ୍ମିକମୟ ହୋଇଉଠିଛି । ହନୁମାନ ଜୟନ୍ତୀ କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆମ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ଭବ୍ୟ ଉତ୍ସବ ଏବଂ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ I ସହରର ବିଭିନ୍ନ ପଡ଼ା ଓ କୋଲୋନୀ ଗୁଡ଼ିକରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ସ୍ଥାନୀୟ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସହ ସମୟ ଅତିବାହିତ କରିଥିଲେ । ବିଶେଷ କରି ଶୋଭାଯାତ୍ରାରେ ହନୁମାନ ବେଶରେ ସଜ୍ଜିତ ହୋଇଥିବା କୁନି ପିଲାମାନଙ୍କ ଉତ୍ସାହ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେବା ସହ ସେମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ । ସମ୍ବଲପୁର ଗସ୍ତକାଳରେ ଶ୍ରୀ ପ୍ରଧାନ ବୁର୍ଲା ଗୌଡ଼ପାଲି, ବିବେକାନନ୍ଦ ଛକ, ହୀରାକୁଦ ଲରିଆପଡ଼ା, ଦେବେଇପାଲି ଶ୍ରୀରାମାୟଣୀ, ବାମରା ଗୋବିନ୍ଦପୁର ସମେତ ବିଭିନ୍ନ ହନୁମାନ ମନ୍ଦିରରେ ମଧ୍ୟ ଦର୍ଶନ କରିଥିଲେ

