ରାଉରକେଲା ୧୫/୪,(ଉତ୍କଳ ସମାଚାର) ଚଳିତବର୍ଷ ରାଉରକେଲା ମେନ୍ ରୋଡରେ ଅନୁଷ୍ଠିତ ରାମନବମୀ ହନୁମାନ ଆଖଡା ଶୋଭାଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ଶେଷ ହୋଇଥିଲା। ରାଉରକେଲା ପୋଲିସ ପକ୍ଷରୁ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ୧୫ଟି ଆଖଡା ଦଳଙ୍କ ମଧ୍ୟରୁ ଶୃଙ୍ଖଳିତ ଆଖଡା ଦଳ ଭାବରେ ଚାରୋଟି ଆଖଡା ଦଳଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଜି ଏହି ଅବସରରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଥମ, ଦ୍ବିତୀୟ, ତୃତୀୟ ଏବଂ ଶ୍ରେଷ୍ଠ ବିବେଚିତ ଆଖଡା କମିଟିଙ୍କୁ କପ୍ ଦେଇ ପୁରସ୍କୃତ କରିଥିଲେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ରାଉରକେଲା ପୋଲିସ୍ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ବ୍ଯବସ୍ଥା କାର୍ଯ୍ଯକାରୀ କରାଯାଇଛି। ଏହି ବ୍ଯବସ୍ଥାରେ ପୁରସ୍କାର ପାଇଥିବା ଆଖଡା କମିଟି ବର୍ଷେ ପର୍ଯ୍ୟନ୍ତ ନିଜ ପାଖରେ କପ୍ ରଖିପାରିବେ ଏବଂ ଆଗାମୀ ବର୍ଷର ରାମନବମୀ ଆଖଡା ଶୋଭାଯାତ୍ରା ପୂର୍ବରୁ କପ୍ ଫେରାଇଲେ ଆଗାମୀ ବର୍ଷର ପ୍ରଥମ, ଦ୍ବିତୀୟ, ତୃତୀୟ ଏବଂ ଶ୍ରେଷ୍ଠ ବିବେଚିତ ଆଖଡା କମିଟି ଏହି କପ୍ ନେବାକୁ ହକଦାର ହେବେ। ଚଳିତ ବର୍ଷ ରାମନବମୀ ହନୁମାନ ଆଖଡା ଶୋଭାଯାତ୍ରାରେ ପୁରସ୍କୃତ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ପ୍ରଥମ ସ୍ଥାନ ଅଧିକାର କରିଥିବା ଗାନ୍ଧୀ ରୋଡର ତ୍ରୀନାଥ ଆଖଡା କମିଟି, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ଡିଲକ୍ସ ଲେନର ଶ୍ରୀ ଶିବଶକ୍ତି ଆଖଡା କମିଟି ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଶ୍ରା ରୋଡର ମହାବୀର ଆଖଡା କମିଟି। ଏଥିସହିତ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା କୁମ୍ଭାରପଡାର ବାବା ଶମ୍ଭୁନାଥ ଆଖଡା କମିଟି। ପ୍ରଥମ, ଦ୍ବିତୀୟ, ତୃତୀୟ ସହିତ ଶ୍ରେଷ୍ଠ ସ୍ଥାନ ଦଖଲ କରିଥିବା ହନୁମାନ ଆଖଡା କମିଟିଙ୍କୁ ପୁରସ୍କୃତ କରିଥିଲେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ଓ୍ବାଧଓ୍ବାନୀ। ଏହି ସମ୍ବର୍ଦ୍ଧନା ଉତ୍ସବରେ ରାଉରକେଲା ପୋଲିସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ଶ୍ରାବଣୀ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

