ରାଉରକେଲା ୧୫/୪,(ଉତ୍କଳ ସମାଚାର) ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ସାଂସ୍କୃତିକ ସଙ୍ଗଠନ “ସ୍ବାଭିମାନୀ ଓଡ଼ିଆ” ତରଫରୁ ଗତକାଲି ସନ୍ଧ୍ୟାରେ ଛେଣ୍ଡ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଗେଟ୍ ନମ୍ବର-୬ ନିକଟସ୍ଥ ପାର୍କିଙ୍ଗ ପଡିଆରେ ଅନୁଷ୍ଠିତ ହୋଇଯାଇଛି ମ୍ଯୁଜିକାଲ ନାଇଟ୍ “ନବତ୍ସୋବ ୨୦୨୬”।ଏହି ନବୋତ୍ସବ-୨୦୨୬ ମ୍ଯୁଜିକାଲ ନାଇଟର ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଇଞ୍ଜିନିୟର ଦୀପ୍ତିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଏହି ମ୍ଯୁଜିକାଲ ନାଇଟ୍ ନବୋତ୍ସବକୁ ଉଦ୍ଘାଟନ କରି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୁଁ ନୁହେଁ ଆମେ, ମୋର ନୁହେଁ ଆମର ପ୍ରତ୍ୟେକ ବ୍ଯକ୍ତିଙ୍କ ମନରେ ଆସିବା ଆବଶ୍ଯକ। ପ୍ରତ୍ୟେକଙ୍କ ମନରେ ଏଭଳି ଭାବନା ଆସିଲେ, ରାଜ୍ୟ ଓ ଦେଶର ବିକାଶ ଆଗକୁ ବଢ଼ିବା ସହିତ ଓଡ଼ିଆର କଳା ଓ ସଂସ୍କୃତି ସମୃଦ୍ଧ ହେବା ସହିତ ଆମେ ଗର୍ବରେ କହିବା ‘ଆମେ ଓଡ଼ିଆ, ବଡ଼ ଲଢ଼ୁଆ ଓ ହେବା ବଢ଼ିଆ’ ବୋଲି କହିଥିଲେ ଇଂ ଦୀପ୍ତିରଞ୍ଜନ ପଟ୍ଟନାୟକ । ସେ ଆହୁରି କହିଥିଲେ ଯେ ଗର୍ବ ଓ ଅହଂକାର ପରିତ୍ୟାଗ କରି ସମସ୍ତଙ୍କ ସହ ସୁସମ୍ପର୍କ ରଖିବା ଦରକାର। ଓଡ଼ିଶାର କଳା, ସଂସ୍କୃତିକ ଓ ଐତିହ୍ୟକୁ ଉଜ୍ଜିବୀତ କରି ରଖିବାରେ “ସ୍ଵାଭିମାନୀ ଓଡ଼ିଆ”ର ଏଭଳି ପ୍ରୟାସ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ବୋଲି କହିଥିଲେ ଉଦ୍ଘାଟକ ଇଂ ପଟ୍ଟନାୟକ । ଏହି ମ୍ଯୁଜିକାଲ ନାଇଟ୍ ନବୋତ୍ସବ-୨୦୨୬ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ। ମୁଖ୍ଯ ବକ୍ତା ଭାବରେ ଓଡିଆ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସବିତା ପ୍ରଧାନ ଯୋଗଦେଇ “ସ୍ବାଭିମାନୀ ଓଡ଼ିଆ”ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ କାବୁଲି ପ୍ରତିହାରୀ ସ୍ବାଗତ ଭାଷଣ ପ୍ରଦାନ ପ୍ରଦାନ କରିଥିଲା ବେଳେ ଅଶେଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଚୌଧୁରୀ ବିଜୟ ପଟ୍ଟନାୟକ, ପ୍ରମୋଦ ପ୍ରଧାନ ମଞ୍ଚାସୀନ ଥିଲେ।ନବୋତ୍ସବ-୨୦୨୬ ମ୍ଯୁଜିକାଲ ନାଇଟ୍ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁଲଦୀପ ସିଂହ ଓ ତାଙ୍କ ଟିମ୍ ଏବଂ ଶଶାଙ୍କ ଶେଖରଙ୍କ ସୁମଧୁର ଗୀତରେ ମତୁଆଲା ହୋଇ ନାଚିଥିଲେ ଉପସ୍ଥିତ ଦର୍ଶକ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବୁଲୁଲି ରାଉତ, ବିଭୂତି ଭୂଷଣ ପୁହାଣ, ପ୍ରକାଶ ବାରିକ, ସୁଶାନ୍ତ ଦାଶ, ରଞ୍ଜନ ନାୟକ ପ୍ରମୁଖ।


