ସମ୍ବଲପୁର,୧୭/୦୪(ଉତ୍କଳ ସମାଚାର),(ସରୋଜ ସାହୁ):ପ୍ରାୟ ୧୪ ବର୍ଷ ର ବ୍ୟବଧାନ ପରେ ଜନ ଗଣନା ଏବଂ ଦୀର୍ଘ ୯୪ ବର୍ଷ ପରେ ସମଗ୍ର ଭାରତରେ ଜାତିଗତ ଜନ ଗଣନା କରାଯାଉଛି I ଜାତିଗତ ଜନ ଗଣନା କରାଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ I ଜନ ଗଣନାରେ ମୁଖ୍ୟତଃ ଦେଶର ଜନସଂଖ୍ୟା, ସାମାଜିକ, ଆର୍ଥିକ, ଶିକ୍ଷା, ଜାତି, ବୃତ୍ତି ଏବଂ ରହଣି ଆଦି ସ୍ଥିତି ଜାଣିବା ପରେ ଜନସଂଖ୍ୟା ଅନୁପାତରେ ବିଭିନ୍ନ କ୍ଷେତ୍ର ପାଇଁ ନୀତି ନିର୍ଦ୍ଧାରଣ କରାଯାଇଥାଏ I ଏହି ତଥ୍ୟ ଆଧାରରେ ହିଁ ସରକାର ସଠିକ୍ ନିଷ୍ପତ୍ତି ନେଇଥାନ୍ତି I ଏହା କେବଳ ଲୋକଙ୍କ ସଂଖ୍ୟା ଗଣିବା ପାଇଁ ନୁହେଁ, ବରଂ ଦେଶର ସାମଗ୍ରିକ ବିକାଶର ଏକ ମୂଳଦୁଆ ଅଟେ I ତେବେ ଚଳିତ ଜନ ଗଣନାରେ ସମଗ୍ର ଦେଶ ରେ ବସବାସ କରୁଥିବା ପ୍ରାୟ ୭୫ କୋଟି ରୁ ଉର୍ଦ୍ଧ ପଛୁଆ ବର୍ଗ ଙ୍କ ଗଣନା କରାନ ଯିବା ଅତ୍ୟନ୍ତ ପରିତାପର ବିଷୟ ଅଟେ ବୋଲି ରାଜ୍ୟ ଓବିସି ମଞ୍ଚ, ସଭାପତି ଶ୍ରୀ ଶଙ୍କର କୁମାର ପାତ୍ର କହିଛନ୍ତି I ଚଳିତ ଜାତିଗତ ଜନ ଗଣନାର ୧୩ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଯୋଡ଼ା ନ ଯିବା ଦ୍ୱାରା ଏହା ଜନ ଗଣନା ର ମୂଳ ଲକ୍ଷ୍ୟ ଏବଂ ଗତ ତା.୩୦.୦୪.୨୦୨୫ ମଃ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର କ୍ୟାବିନେଟ କମିଟିରେ ଜାତି ଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନେଇ ହୋଇଥିବା ନିଷ୍ପତ୍ତିର ବିରୁଦ୍ଧIଚରଣ କରୁଅଛି ବୋଲି ସ୍ଥାନୀୟ ସାମ୍ବାଦିକ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି I ପଛୁଆ ବର୍ଗଙ୍କ ପାଇଁ କାକା କାଲେକର, ମଣ୍ଡଳ କମିଶନ, ରୋହିଣୀ କମିଶନ ଓବିସି ଙ୍କ ଗଣନା କରିବାକୁ ସରକାର ଙ୍କୁ ସୁପାରିଶ କରିଛନ୍ତି I ଏହା ବ୍ୟତୀତ ମାନ୍ୟବର ସୁପ୍ରିମ କୋର୍ଟ ମଧ୍ୟ ଜାତି ଭିତ୍ତିକ ତଥ୍ୟ ନ ଥିଲେ ଆରକ୍ଷଣ ସମ୍ଭବ ନୁହେଁ ବୋଲି ଏକ ଗୁରୁତ୍ୱପୂର୍ଣ ରାୟ ଶୁଣାଇଛନ୍ତି I ଏଭଳି କ୍ଷେତ୍ରରେ ପଛୁଆ ବର୍ଗ (ଓବିସି) ଙ୍କୁ ଅଣଦେଖା କରି ବିକଶିତ ଭାରତର ପରିକଳ୍ପନା କରିବା ଭିତ୍ତିହୀନ ଅଟେ ବୋଲି ଶ୍ରୀ ପାତ୍ର କହିଛନ୍ତି I ଏହା ଦର୍ଶାଉଛି ଯେ ବର୍ତ୍ତମାନର ସରକାର ଦେଶ ଏବଂ ସମାଜର ସାମଗ୍ରିକ ସ୍ୱାର୍ଥ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ନୁହନ୍ତି I ଏହା ଫଳରେ ଓଡିଶା ରେ ବସବାସ କରୁଥିବା ସାଢ଼େ ୪ କୋଟି ଓଡ଼ିଆ ଙ୍କ ମଧ୍ୟରୁ ପ୍ରାୟ ୫୨ ପ୍ରତିଶତ ଅର୍ଥାତ ୨ କୋଟି ୩୦ ଲକ୍ଷ ରୁ ଉର୍ଦ୍ଧ ପଛୁଆ ବର୍ଗ (ଓବିସି) ପ୍ରଭାବିତ ହେବେ I ଚଳିତ ଜନ ଗଣନାର ୧୩ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବାକୁ ଦାବି ନେଇ ଆଗାମୀ ୨୨ ତାରିଖ ରାଜଧାନୀ ଭୁବନେଶ୍ୱର ଠାରେ ଏକ ଶାନ୍ତିପୂର୍ଣ ଧାରଣା କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ଏବଂ ଏହି କାର୍ଯ୍ୟକ୍ରମରେ ରାଜ୍ୟ ର ବିଭିନ୍ନ ଜ଼ିଲ୍ଲାରୁ ଶତାଧିକ ସଂଖ୍ୟାରେ ଓବିସି କର୍ମୀ ସାମିଲ ହେବେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ I ଏହି ସାମ୍ବାଦିକ ସମ୍ବିଳନୀରେ ଉପସ୍ଥିତ ଥିବା ମଞ୍ଚର ପ୍ରବକ୍ତା ଶ୍ରୀ ବିରଞ୍ଚି ସାହୁ “ଓବିସି ଜାତି ଗଣନା ନାହିଁ ତ ଜନଗଣନା କୁ ସ୍ଵାଗତ ନାହିଁ” ବୋଲି ପ୍ରକାଶ କରି ଯଦି ସରକାର ଓବିସି ଙ୍କ ନାର୍ଯ୍ୟ ଦାବି ପ୍ରତି ଅଣଦେଖା କରନ୍ତି ତେବେ ରାଜ୍ୟବ୍ୟାପୀ ଲୋକଙ୍କୁ ସଚେତନ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଥିଲେ I ଏହି ସାମ୍ବାଦିକ ସମ୍ମିଳନୀ ରେ ମଞ୍ଚର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ହୀରାଲାଲ ବେହେରା, ସମ୍ବଲପୁର ଜ଼ିଲ୍ଲା ଆବାହକ ଶ୍ରୀ ସରୋଜ ସାହୁ ମଂଚାସୀନ ଥିଲେ I

