ସମ୍ବଲପୁର,17//4,(ଉତ୍କଳ ସମାଚାର),(ସରୋଜ ସାହୁ):ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପାରିପାର୍ଶ୍ୱିକ ଉନ୍ନୟନ ପଦକ୍ଷେପ ଅନୂସାରେ ହୀରାକୁଦ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ଗୁଣମାନ ବୃଦ୍ଧି ଏବଂ ଉଚ୍ଚ ଶିକ୍ଷା ପାଇଁ “ଜ୍ଞାନାର୍ଜନ କେନ୍ଦ୍ର”ର ଶୁଭ ଉଦଘାଟନ ହୋଇଛି । ଏହି କେନ୍ଦ୍ରଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ସ୍ଥାପନା କରାଯାଇଛି। ଏହି ଅବସରରେ ବ୍ଲକ୍ ଶିକ୍ଷା ଅଧିକାରୀ କରଣ ଶର୍ମା, ହିଣ୍ଡାଲକୋ ଓଡ଼ିଶା କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ ଡ଼. କୃଷ୍ଣା ପାଢ଼ୀ ଓ ଏଫ୍ଆରପି ପ୍ଲାଣ୍ଟ ମୁଖ୍ୟ ସୁରଜିତ ମିତ୍ର ଦୀପ ପ୍ରଜ୍ଜ୍ୱଳନ କରି କେନ୍ଦ୍ରଟିର ଶୁଭ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସପ୍ତଶ୍ରୀ ମହାପାତ୍ର, ହିଣ୍ଡାଲକୋ ମାନବ ସମ୍ବଳ ମୁଖ୍ୟ ବିଶ୍ୱାସ ସିନ୍ଧେ, ହିଣ୍ଡାଲକୋ ସ୍ମେଲ୍ଟର ପ୍ଲାଣ୍ଟ ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ ସାହୁ, ସିଏସଆର ଓଡ଼ିଶା କ୍ଲଷ୍ଟର ମୁଖ୍ୟ ଶିବ ମହାପାତ୍ର,ଉପଦେଷ୍ଟା ସୁକାନ୍ତ କୁମାର ମହାପାତ୍ର, ସମୀର ମହାନ୍ତି, ଆନନ୍ଦ ଚକ୍ରବର୍ତ୍ତୀ, ଜୀତେଶ ରଥ, ଅର୍ଥ ବିଭାଗ ମୁଖ୍ୟ ରଘବୀନ୍ଦ୍ର ଆଚାର୍ୟ, ବିରାଟ ଗ୍ରୁପର ନିର୍ଦ୍ଦେଶକ ରାହୁଲ ରାଜଙ୍କ ସହ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଶର୍ମା ତାଙ୍କ ଉଦବୋଧନରେ ହିଣ୍ଡାଲକୋଙ୍କ ଏହି ସୁଚିନ୍ତିତ ପଦକ୍ଷେପକୁ ସାଧୁବାଦ ଜଣାଇ କହିଥିଲେ ଯେ, ଏହି ଜ୍ଞାନାର୍ଜନ କେନ୍ଦ୍ର ଭବିଷ୍ୟତରେ ଛାତ୍ରଛାତ୍ରୀ ମାନଙ୍କୁ ଡାକ୍ତରି ଓ ଇଞ୍ଜିନିୟରିଂ ଶିକ୍ଷା ପାଇଁ ସୁଦୃଢ଼ ମୂଳଭିତ୍ତି ପ୍ରଦାନ କରିବ। ହିଣ୍ଡାଲକୋ ଓଡ଼ିଶା କ୍ଲଷ୍ଟର ମାନବ ସମ୍ବଳ ମୁଖ୍ୟ ଡ଼. କ୍ରୀଷ୍ଣା ପାଢ଼ୀ ତାଙ୍କ ଉଦବୋଧନରେ କହିଥିଲେ ଯେ, “ହିଣ୍ଡାଲକୋ ଓ ହୀରାକୁଦ ଏକ ପରିବାର। ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଉନ୍ନତି ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ହିଣ୍ଡାଲକୋ ସଦା ପ୍ରୟାସରତ।” ହିଣ୍ଡାଲକୋ ମାନବ ସମ୍ବଳ ମୁଖ୍ୟ ଶ୍ରୀ ସିନ୍ଧେ କହିଥିଲେ ଯେ, ବହୁଦିନ ଧରି ଚାଲିଥିବା ଯୋଜନା ଓ ଚେଷ୍ଟାର ପରିଣାମ ସ୍ୱରୂପ ଆଜି ଏହି କେନ୍ଦ୍ର ଉଦଘାଟିତ ହୋଇପାରିଛି। ସେ ଛାତ୍ରଛାତ୍ରୀ ମାନଙ୍କୁ ଏହି ସୁଯୋଗକୁ ସଦ୍ବ୍ୟବହାର କରି ନିଜ ଭବିଷ୍ୟତ ଗଢ଼ିବାକୁ ଆହ୍ୱାନ ଜଣାଇଥିଲେ। ହିଣ୍ଡାଲକୋ ସ୍ମେଲ୍ଟର ପ୍ଲାଣ୍ଟ ମୁଖ୍ୟ ଶ୍ରୀ ପ୍ରତାପ ସାହୁ କହିଥିଲେ ଯେ, ଅଞ୍ଚଳର ଶିଶୁମାନଙ୍କ ଶିକ୍ଷାର ମାନ ଉନ୍ନତ କରିବା ଲକ୍ଷ୍ୟରେ ଦୀର୍ଘଦିନର ଆଲୋଚନା ପରେ ଏହି ଯୋଜନା ସଫଳ ରୂପେ କାର୍ଯ୍ୟରୂପ ନେଇଛି। କାର୍ଯ୍ୟକ୍ରମକୁ ସଫଳ କରିବାରେ ହିଣ୍ଡାଲକୋ ପାରିପାର୍ଶ୍ୱିକ ଉନ୍ନୟନ ବିଭାଗର ଜୟଶ୍ରୀ ରାଓ, ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ, ମିଲନ କୁମାର ସାହୁ, ରିଆଜ୍ ନାଗଙ୍କ ଓ ବିରାଟ ଗୃପ ର ଜ୍ୟୋତି ରଞ୍ଜନ ଆଚାର୍ୟ ଓ ବିଦ୍ୟାଳୟର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିଥିଲା।

