ରାଉରକେଲା ୧୭/୪,(ଉତ୍କଳ ସମାଚାର) କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT)ର ବାର୍ଷିକ ସାଧାରଣ ବୈଠକ ୨୦୨୬ ଏପ୍ରିଲ ୧୬ ତାରିଖ ଦିନ ନୂଆଦିଲ୍ଲୀର ହୋଟେଲ ବେଲ୍-ଲା ମୋଣ୍ଡେ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି CAITର ବାର୍ଷିକ ରିପୋର୍ଟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ଉପସ୍ଥାପନ କରିବା ପରେ, ୨୦୨୬-୨୦୨୮ ବର୍ଷ ପାଇଁ CAITର ଜାତୀୟ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। CAITର ସଦସ୍ୟମାନେ ସର୍ବସମ୍ମତିକ୍ରମେ ରାଉରକେଲାର ବ୍ରିଜ ମୋହନ ଅଗ୍ରୱାଲଙ୍କୁ ଜାତୀୟ ଅଧ୍ୟକ୍ଷ, ନାଗପୁରର ବାଳକୃଷ୍ଣ ଭାରତୀୟଙ୍କୁ ଜାତୀୟ ସଭାପତି ଏବଂ ପ୍ରବୀଣ ଖଣ୍ଡେଲୱାଲ (ଦିଲ୍ଲୀ ଚାନ୍ଦିନୀଚୌକ ଲୋକସଭା ସାଂସଦ)ଙ୍କୁ ଜାତୀୟ ମହାସଚିବ ଭାବରେ ପୁନଃନିର୍ବାଚିତ କରିଥିଲେ। ସେହିପରି ଓଡ଼ିଶାରୁ ନିର୍ବାଚିତ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅନୁଗୁଳର ଆର.କେ. ଶୁକ୍ଳାଙ୍କୁ ଜାତୀୟ ଉପାଧ୍ୟକ୍ଷ, ଭୁବନେଶ୍ୱରର ସୁଧାକର ପଣ୍ଡାଙ୍କୁ ଜାତୀୟ ସଂଗଠନ ସମ୍ପାଦକ ଏବଂ ଝାରସୁଗୁଡାର ହୀରାଲାଲ ଲୋକଚନ୍ଦାନୀଙ୍କୁ ଜାତୀୟ ସମ୍ପାଦକ ଭାବରେ ପୁନଃନିର୍ବାଚିତ କରାଯାଇଥିଲା।CAITର ଏହି ବୈଠକ ଓ ନିର୍ବାଚନ ଏକ ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶର ୯ କୋଟି ବ୍ୟବସାୟୀଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ସଂଘର ଲଢ଼େଇ ଲକ୍ଷ୍ୟ ପ୍ରତି ନିର୍ବାଚିତ ନେତାମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

