ରାଉରକେଲା ୧୭/୪,(ଉତ୍କଳ ସମାଚାର) ତରକେରା ପମ୍ପ୍ ହାଉସ୍ ସମ୍ମୁଖସ୍ଥ ତରକେରା ପୁରୁଣା କଲୋନୀର ଶୁଭ୍ରାଂଶୁ ବେହେରା ନାମକ ଜଣେ ୮ ବର୍ଷିୟ ବାଳକ ପାନପୋଷ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲର ଛାତ୍ର ପରିସ୍ରା ଯାଇଥିବା ବେଳେ ହଠାତ୍ ତଳେ ପଡିଯାଇ ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକମାନେ ଗରୀବ ଛାତ୍ରଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରାଯାଇଛି।ସରସ୍ବତୀ ଶିଶୁ ମନ୍ଦିରର ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଜି ଶୁକ୍ରବାର ସକାଳ ୬ଟା ୧୦ ସମୟରେ ମୃତ ଛାତ୍ର ଶୁଭ୍ରାଂଶୁ ବେହେରା ପାନପୋଷ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲରେ ପହଞ୍ଚି ଥିଲେ। ସେଠାରେ ପାଠ ପଢାଉଥିବା ଶିକ୍ଷୟତ୍ରୀ ଏବଂ ସହାୟିକାମାନେ ୬ଟା ୧୫ ସମୟରେ ସ୍କୁଲରେ ପହଞ୍ଚି ଥିଲେ। ସ୍କୁଲ ଚାଲିଥିବା ବେଳେ ପ୍ରାୟ ୭ଟା ସମୟରେ ମୃତ ଶୁଭ୍ରାଂଶୁ ପରିସ୍ରା କରିବାକୁ ଯାଇ ତଳେ ପଡିଯାଇଥିଲେ। ସ୍କୁଲର ଶିକ୍ଷୟତ୍ରୀ ଖବର ଶୁଣି ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଶୁଭ୍ରାଂଶୁଙ୍କୁ ଉଠାଇ ଆଣି ପାଣି ଛାଟିବା ପରେ ମଧ୍ୟ ଶୁଭ୍ରାଂଶୁଙ୍କ ଚେତା ପଡିନଥିଲା। ତତ୍ପରେ ସେମାନେ ତାଙ୍କ ପିତାମାତାଙ୍କୁ ଫୋନ୍ କରି ଜଣାଇବା ସହ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ସେଠାରେ ମୃତ ଛାତ୍ରଙ୍କ ଇସିଜି କରିବା ପରେ ମୃତ ବୋଲି ଘୋଷଣା କରିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ମୃତ୍ୟୁ ଘଟିଥିବା ଛାତ୍ରଙ୍କ ପିତା ବିଜୟ କୁମାର ବେହେରା ଜଣେ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ପ୍ରାୟ ବର୍ଷେ ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କର ଗୋଡ କଟିଯାଇଛି। ତାଙ୍କର ଆଉ ଗୋଟିଏ ପୁତ୍ର ୧୨ ବର୍ଷର ଥିବାବେଳେ, ସେ ଅକାମୀ ହୋଇ କାମଦାମ କରିପାରୁନାହାନ୍ତି। ୮ ବର୍ଷିୟ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ପରିବାର ଲୋକଙ୍କ ସମେତ ପଡୋଶୀ ମଧ୍ଯ ବ୍ଯଥିତ ହୋଇପଡିଛନ୍ତି। ଗତକାଲି ରାଉରକେଲାରେ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଥିବା ବେଳେ ସଂପୃକ୍ତ ଛାତ୍ର ଅଂଶୁଘାତ ( Sunburn)ର ଶିକାର ହୋଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଖାଲି ପେଟରେ ସ୍କୁଲରେ ପହଞ୍ଚିବା ପରେ ଅଂଶୁଘାତର ପ୍ରତିଫଳନ ଘଟିବା ପରେ ଏହି ଘଟଣା ଘଟିଛି ବୋଲି ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପକ୍ଷରୁ ଘଟଣାକୁ ସଂଗୀନ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

