ରାଉରକେଲା ୨୨/୪,(ଉତ୍କଳ ସମାଚାର) ଆଜି ରାଉରକେଲା ଅପରାହ୍ନ ୩ଟା ସୁଦ୍ଧା ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ, ପ୍ରଚଣ୍ଡ ରୌଦ୍ରତାପ ଏବଂ ଗରମ ଯୋଗୁଁ ରାଉରକେଲାର ରାସ୍ତାଘାଟରେ ନୀରବତା ଦେଖାଯାଇଛି। ଏଥିସହିତ ଲସି, ଆଖୁ ରସ, ପଇଡ ପାଣି, କଞ୍ଚା ଆମ୍ବ ପାଣି ବିକ୍ରି ଜୋର ଧରିଛି। ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଉଛି। ଆଜି ମଧ୍ଯାହ୍ନ ୧୨ଟା ସୁଦ୍ଧା ସହରର ତାପମାତ୍ରା ପ୍ରାୟ ୪୧ ଡିଗ୍ରୀରେ ପହଞ୍ଚିଥିଲା ବେଳେ ଅପରାହ୍ନ ୩ଟାରେ ତାପମାତ୍ରା ବୃଦ୍ଧି ପାଇ ୪୩ ଡିଗ୍ରୀରେ ପହଞ୍ଚିଛି। ଗରମ ଏବଂ ଆଦ୍ରତା ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । ମଧ୍ୟାହ୍ନରେ ସହରର ରାସ୍ତାଗୁଡ଼ିକ ଶୂନଶାନ୍ ହୋଇଯାଇଥିଲା। ପନିପରିବା ବିକ୍ରେତାମାନେ ରାସ୍ତାପାର୍ଶ୍ୱରେ ଛତା ତଳେ ପନିପରିବା ବିକ୍ରି କରୁଥିବା ଦେଖାଯାଇଥିଲା। ଗରମ ଏବଂ ଆର୍ଦ୍ରତାରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଲସି, ଦହି, ଘୋଳ ଦହି, ଆଖୁ ରସ, କଞ୍ଚା ଆମ୍ବ ପାଣି, ସାଟୁ ପାଣି ଏବଂ ଥଣ୍ଡା ପାନୀୟ ପିଉଥିବା ସହରରେ ଦେଖାଯାଇଥିଲା। ଏଥିସହିତ ଗରମରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ରାସ୍ତାରେ ଛତା, ଗ୍ଲାସ୍ ଏବଂ ଟୋପି ପିନ୍ଧି ବ୍ୟବସାୟ କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ ଗରମରୁ ନିଜକୁ ରକ୍ଷା କରିବା ପାଇଁ ଛତା, ଟୋପି ଏବଂ ରୁମାଲ ଧରି ଯାଉଥିବା ଦେଖାଯାଇଥିଲା। ଅସହ୍ଯ ଗରମ ଯୋଗୁଁ ଫଳର ମୂଲ୍ୟ ବୃଦ୍ଧି ପାଇଛି। ରାଉରକେଲା ସହର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ଗରମ ଲହରୀ ବୃଦ୍ଧି ପାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସକାଳରୁ ମଧ୍ଯାହ୍ନ ୧୨ଟା ସୁଦ୍ଧା ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ କାମ ଶେଷ କରି ଘରେ ରହିବାକୁ ନିବେଦନ କରାଯାଇଛି। ଆବଶ୍ୟକ ହେଲେ ଟୋପି, ଚଷମା, ଛତା ଏବଂ ରୁମାଲ ପିନ୍ଧିବାକୁ କୁହାଯାଇଛି। ଘରୁ ବାହାରକୁ ଗଲେ ପାନୀୟ ଜଳ ପାଇଁ ଓଆରେସ୍ (ଓସ୍) ଦ୍ରବଣ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଗରମରୁ ରକ୍ଷା କରିବା ପାଇଁ ଓଆରଏସ୍ ଦ୍ରବଣ ଦିଆଯାଉଛି। ଅପରପକ୍ଷରେ ରିଂଗ୍ ରୋଡ ଏବଂ ଅନ୍ୟାନ୍ୟ ଛକ ଗୁଡିକରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଖୋଲା ଯାଇଥିବା ଜଳ ଛତ୍ର ପଏଣ୍ଟରେ ଅବ୍ଯବସ୍ଥା ଦେଖାଦେଇଛି।

