ରାଉରକେଲା ୨୩/୪,(ଉତ୍କଳ ସମାଚାର) ନାରୀ ଶକ୍ତି ବନ୍ଦନ ଅଧିନିୟମ ଚିଠା ପ୍ରସ୍ତାବ ଲୋକସଭାର ଭୋଟିଂରେ ନାକଚ ହୋଇଯିବା ପରେ, ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ସହରରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବିପକ୍ଷରେ ଥିବା ବିରୋଧୀ ଦଳଙ୍କ ଅସହଯୋଗ ଏବଂ ଆକ୍ରୋଶ ଉପରେ ସୂଚନା ଦିଆଯାଉଛି। ଆଜି ରାଉରକେଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରାହଣୀ କ୍ଲବ ଠାରେ ନାରୀଶକ୍ତି ବନ୍ଦନ ଅଧିନିୟମକୁ ବିରୋଧି ଦଳଙ୍କ ଭୂମିକାକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ନାରୀ ନେତ୍ରୀ ତଥା ଓଡିଶା ବିଧାନସଭାର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସଂଜଳି ମୁର୍ମୁ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ରାଜ୍ୟ ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂ, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ କମିଶନର ସଦସ୍ୟା କଳ୍ପନା ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଲୋକସଭାରେ ମହିଳା ବିଲ୍, ନାରୀଶକ୍ତି ବନ୍ଦନ ଅଧିନିୟମ ସମେତ ଡି ଲିମିଟେସନ ବିଲ୍ (ଚିଠା ପ୍ରସ୍ତାବ) ଭୋଟିଂରେ ନାକଚ ହୋଇଯାଇଥିଲା। ନାରୀଶକ୍ତି ବନ୍ଦନ ଅଧିନିୟମ, ଅନ୍ଯ ଦୁଇଟି ବିଲ୍ ସହିତ ଭୋଟିଂରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳର ବିରୋଧ ଯୋଗୁଁ ଲୋକସଭାରେ କାଟ ଖାଇଯାଇଥିବାରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହାକୁ ସମାଲୋଚନା କରାଯାଇଛି। ଓଡିଶା ବିଧାନସଭାର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଭାରତର ସଂସଦରେ ମହିଳାଙ୍କ ସାଂସଦଙ୍କ ସଂଖ୍ୟା କମ୍ ଥିଲାବେଳେ ଓଡିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ୧୧ ଜଣ ମହିଳା ବିଧାୟିକା ଅଛନ୍ତି, ଯାହା ମହିଳାଙ୍କୁ ପ୍ରତିନିଧିତ୍ବ ଦେବା ପାଇଁ ନଗଣ୍ଯ ହୋଇଛି। ମହିଳା ବିଲ୍ ସହ ନାରୀଶକ୍ତି ବନ୍ଦନ ଅଧିନିୟମ ଦ୍ବାରା ମହିଳାଙ୍କୁ ଲୋକସଭା ଏବଂ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦ୍ବାରା ହୋଇପାରିବ ବୋଲି ବିଶ୍ୱାସ କରାଯାଏ। ନାରୀଶକ୍ତି ବନ୍ଦନ ଅଧିନିୟମ ଦ୍ବାରା ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରାଯାଇ ଏ ବିଷୟରେ ସଚେତନତା ସୃଷ୍ଟି କରାଯାଉଛି। ସେହିପରି ବାଙ୍ଗିରିପୋଷି ବିଧାୟିକା ସଂଜଳୀ ମୁର୍ମୁ କହିଥିଲେ ଯେ, ବିରୋଧୀ ଦଳମାନେ ଚାହାଁନ୍ତି ନାହିଁ ଯେ ମହିଳାମାନେ ଆଗକୁ ଆସନ୍ତୁ। ମହିଳା ତଥା ଜନଜାତି ମହିଳା କିପରି ଆଗକୁ ଆସିପାରିବେ ଏବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜିର ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯା ପ୍ରମିଳା ଦାସ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ବିରୋଧୀ ଦଳର ବିରୋଧକୁ ନିନ୍ଦା କରିଥିଲେ। ଶେଷରେ ଜିଲ୍ଲା ବିଜେପି ମୁଖପାତ୍ର ଗଙ୍ଗାଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

