ରାଇଘର,ନରସିଂବାଘ. (ଉତ୍କଳ ସମାଚାର) ତାରିଖ :23/04ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅଧୀନସ୍ଥ କୁରାବେଡ଼ା ପଂଚାୟତର ରେଙ୍ଗାଭାଟି ଗାଁରେ ଚାଲୁଥିବା କଂକ୍ରିଟ ରାସ୍ତା ନିର୍ମାଣ କାମରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି।ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସରକାରୀ ନିୟମ ଅନୁଯାୟୀ ଯେଉଁଠି ରାସ୍ତାର କଂକ୍ରିଟ ତଳ ପ୍ରାୟ ୮ ଇଞ୍ଚ ହେବା କଥା, ସେଠାରେ କେବଳ ୨ ରୁ ୩ ଇଞ୍ଚ ମାତ୍ର ଦିଆଯାଇଛି। ଏହାର ଫଳରେ ରାସ୍ତାର ଦୀର୍ଘସ୍ଥାୟୀତ୍ୱ ଉପରେ ଗଭୀର ପ୍ରଶ୍ନ ଉଠିଛି।ଅଧିକାଂଶ ଗ୍ରାମବାସୀଙ୍କ ମତାନୁସାରେ, ଏହି କାମ ସମୟରେ ସରକାରୀ ଯନ୍ତ୍ରୀ (ଇଞ୍ଜିନିୟର) ଉପସ୍ଥିତ ରହିବା ଦରକାର ଥିଲା, କିନ୍ତୁ ତାଙ୍କ ଅନୁପସ୍ଥିତିରେ କାମ କରାଯାଇଥିବା ଅଭିଯୋଗ ହୋଇଛି।ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ, ଠିକାଦାର ଓ କିଛି ସରକାରୀ କର୍ମଚାରୀଙ୍କ ମଧ୍ୟରେ ମିଳିଭଗତ ଥିବାରୁ ଏପରି ନିମ୍ନମାନର କାମ ହେଉଛି। ଏହା ଦ୍ୱାରା ସରକାରୀ ଅର୍ଥର ଦୁରୁପଯୋଗ ହେଉଥିବା ଆଶଙ୍କା ପ୍ରକାଶ ପାଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ତତ୍କ୍ଷଣାତ୍ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନିମ୍ନମାନର କାମକୁ ପୁନଃ ସଠିକ ଭାବରେ କରାଯିବାକୁ ଦାବି କରିଛନ୍ତି।

