ରାଉରକେଲା ୨୪//୪,(ଉତ୍କଳ ସମାଚାର) ରାଉରକେଲା ମହାନଗର ନିଗମ(ଆରଏମ୍ସି) ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଯାଇଛି। ଅନ୍ଯାନ୍ଯ ମହାନଗର ନିଗମ ସହିତ ରାଉରକେଲା ମହାନଗର ନିଗମର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାରେ କୌଣସି ଅସୁବିଧା ନାହିଁ। ରାଉରକେଲା ମହାନଗର ନିଗମ ପାଇଁ ଓଡିଶା ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ବିରୋଧରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ହୋଇଥିବା ଆବେଦନକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଏଥିସହିତ ନିର୍ବାଚନ ପାଇଁ ଥିବା ବାଧା ଦୂର ହୋଇଛି । ରାଉରକେଲା ପୌର ନିଗମ ଗଠନ ସଂପର୍କିତ ବିଜ୍ଞପ୍ତିକୁ କାୟମ ରଖିବା ସହିତ ବିଜ୍ଞପ୍ତି ବିରୋଧରେ ହୋଇଥିବା ଦୁଇଟି ମାମଲାକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଏଥିସହିତ ଏ ସମ୍ପର୍କିତ ୨୦୧୪ ନଭେମ୍ବର ୪ ଓ ୧୪ ତାରିଖରେ ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରି ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶକୁ ଓଡିଶା ଉଚ୍ଚ ନ୍ୟାୟାଳୟ ଉଠାଇ ଦେଇଛନ୍ତି । ୨୦୧୫ରୁ ବିଚାରାଧୀନ ଏ ସମ୍ପର୍କିତ ଦୁଇ ମାମଲାକୁ ଜଷ୍ଟିସ ଆର. କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିବା ସହିତ ପୂର୍ବରୁ ଦେଇଥିବା ଅନ୍ତରୀଣ ଆଦେଶ ଉଠାଇବାକୁ କହିଛନ୍ତି। ଏଥିସହିତ ରାଉରକେଲା ପୌର ନିଗମ ନିର୍ବାଚନ କରିବାକୁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି | ମାମଲାର ନିବରଣୀରୁ ପ୍ରକାଶ ଯେ, ରାଉରକେଲା ପୌର ପରିଷଦର ୩୩ଟି ୱାର୍ଡ ସହିତ କେତେକ ପଞ୍ଚାୟତକୁ ପୌର ନିଗମରେ ଅନ୍ତର୍ଭୁକ୍ତ କରି ୨୦୧୪, ନଭେମ୍ବର ୧୪ରେ ଗୃହ ନିର୍ମାଣ ଓ ନଗର ଭନ୍ନୟନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିଲା I ନୂଆ କରି ସାମିଲ ହୋଇଥିବା କେତେକ ପଞ୍ଚାୟତର ବାସିନ୍ଦାଙ୍କ ତରଫରୁ ଏହି ବିଜ୍ଞପ୍ତିକୁ ବିରୋଧ କରି ୨୦୧୫ରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦୁଇଟି ମାମଲା ଦାୟର କରିଥିଲେ। ଏହାକୁ ଗ୍ରହଣ କରି ୨୦୧୫ ମାର୍ଚ୍ଚ ୨୬ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ୨୦୧୪ର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ I ମାମଲା ବିଚାରାଧୀନ ଥିବା ବେଳେ ଅନ୍ତରୀଣ ରହିତାଦେଶ ଯୋଗୁଁ ରାଉରକେଲା ମହାନଗର ନିଗମ ନିର୍ବାଚନ ହୋଇପାରୁ ନଥିଲା।

