ସମ୍ବଲପୁର,୦୫/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କିପରି ହେବ ଏବଂ ଗତ ବର୍ଷ ଧାନ କ୍ରୟ ସମୟରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ସମୟରେ ଏହାର କିପରି ସମାଧାନ କରାଯାଇପାରିବ,ଆଲୋଚନା ହୋଇଥିଲା I ସୂଚନା ଅନୁଯାୟୀ, ଜିଲ୍ଲାସ୍ତରୀୟ କ୍ରୟ ସମିତି ଦ୍ୱାରା ଆସନ୍ତା ୧୫ ମଇରୁ ରବି ଧାନ ସଂଗ୍ରହ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ରବି ୨୦୨୫-୨୬ ବର୍ଷ ପାଇଁ ସାଧାରଣ ଧାନର କ୍ୱିଣ୍ଟାଲ ପିଛା ମୂଲ୍ୟ ୨୩୬୯ ଟଙ୍କା ଏବଂ ‘ଗ୍ରେଡ୍-ଏ’ ଧାନ ପାଇଁ ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି। ରବି ୨୦୨୫-୨୬ ପାଇଁ ମୋଟ ୧୯,୧୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି I ମୋବାଇଲ୍ ଆପ୍ ଜରିଆରେ ପ୍ଲଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ଏବଂ ସଂଗ୍ରହ ପୂର୍ବରୁ ଚୂଡ଼ାନ୍ତ ଚାଷୀ ତାଲିକା ପ୍ରକାଶ କରାଯିବ। ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ୫୬ଟି ମଣ୍ଡି କାର୍ଯ୍ୟକ୍ଷମ ହେବ I ଏଥିରେ ୩୨ଟି ପେସ୍କ /ଲେମ୍ପସ ଏବଂ ୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହେବେ I ଚଳିତ ଋତୁରେ ୪୮ ଜଣ କଷ୍ଟମ୍ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହେବେ I ପି-ପାସ୍ (ଅନଲାଇନ୍ ମୋଡ୍ ରେ ରିଅଲ୍ ଟାଇମ୍ କ୍ରୟ) ମାଧ୍ୟମରେ କ୍ରୟ କରାଯିବ । ଏଥିପାଇଁ କେନ୍ଦ୍ରୀୟ ଟୋକନ୍ ଜାରି କରାଯିବ ଏବଂ କୃଷକଙ୍କ ପଞ୍ଜୀକୃତ ମୋବାଇଲକୁ ଏସ୍.ଏମ୍.ଏସ୍ ପଠାଯିବ । ଆଇରିସ୍ ସ୍କାନର ଦ୍ୱାରା ଆଧାର ପ୍ରମାଣିକରଣ ନିଶ୍ଚିତ କରି ଧାନ କିଣାଯିବ। ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅନ୍ ଲାଇନ୍ ମୋଡ୍ ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଧାନର ମୂଲ୍ୟ (ଏମ୍ଏସ୍ପି) ଜମା କରାଯିବ ଏବଂ ପ୍ରତି ୭ ଦିନରେ ରିମାଇଣ୍ଡର ମେସେଜ୍ ମଧ୍ୟ ପଠାଯିବ। ଧାନ ସଂଗ୍ରହ କେନ୍ଦ୍ରରେ ଡିଜିଟାଲ ଆର୍ଦ୍ରତା ମିଟର, ୱେ ବ୍ରିଜ୍, ବିଶ୍ଳେଷଣ କିଟ୍, ପଲିତାରପୋଲିନ ଆଦି ଯୋଗାଇବା ସହ ପ୍ରତୀକ୍ଷା କକ୍ଷ ,ପାନୀୟ ଜଳ, ଲାଇଟ୍, ଶୌଚାଳୟ, ସି.ସି.ଟିଭି ଆଦିର ବ୍ୟବସ୍ତା କରାଯିବ। ବୈଠକରେ ଜିଲ୍ଲାପାଳ ସମସ୍ତ ଚାଷୀଭାଇ ମାନଙ୍କ ଓ ମିଲର ମାନଙ୍କ ସହଯୋଗରେ ଖରିଫ ଋତୁରେ ୩୨.୭୨ ଲକ୍ଷ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇପାରିଥିଲା,ଯାହା ଗତବର୍ଷ ତୁଳନା ରେ ଅଧିକ ବୋଲି କହିଥିଲେ।ଏହି ପ୍ରକାରେ ଆଗାମୀ ଦିନରେ ରବି ଋତୁରେ ସୁରୁଖୁରୁରେ ଧାନ ସଂଗ୍ରହ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ଧାନ ସାଇତି ରଖିବା ପାଇଁ ଜିଲ୍ଲାରେ ପର୍ଯ୍ୟାପ୍ତ ସ୍ଥାନ ରହିଛି ବୋଲି ସେ କହିଥିଲେ। ଗୋଦାମ ଘରର ଅଭାବ ନେଇ କୌଣସି ଅଭିଯୋଗ ଯେପରି ନ ଆସେ, ଯେପରି କୌଣସି ପ୍ରକୃତ ଚାଷୀ ଧାନ ବିକ୍ରିରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏବଂ ମଣ୍ଡିରେ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ରହେ ସେଥିପାଇଁ ଧ୍ୟାନଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କାଳବୈଶାଖୀର ସମ୍ଭାବନା ଥିବାରୁ ମଣ୍ଡିକୁ ଆସୁଥିବା ଧାନ ଯେପରି ନଷ୍ଟ ନହୁଏ, ସେଥିପାଇଁ ଆର.ଏମ.ସି କର୍ମଚାରୀ ଓ ଚାଷୀମାନେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ପାଇଁ ସାଟେଲାଇଟ୍ ସର୍ଭେର ସହାୟତା ନିଆଯାଇଛି। ଯେଉଁ ସ୍ଥାନରେ ଧାନ ଚାଷ ହୋଇନାହିଁ ମାତ୍ର ମିଥ୍ୟା ପଞ୍ଜୀକରଣ କରାଯାଇଥିଲା, ସେଭଳି ପ୍ଲଟ୍ଗୁଡ଼ିକୁ ଚିହ୍ନଟ କରାଯାଇ ବାତିଲ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ I ଏହି ବୈଠକର ବିଧାୟକ-ରେଢାଖୋଲ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ-ରେଙ୍ଗାଲି ସୁଦର୍ଶନ ହରିପାଲ, ବିଧାୟକ-କୁଚିଣ୍ଡା ରବିନାରାୟଣ ନାୟକଙ୍କ ପ୍ରତିନିଧି, ଜିଲ୍ଳାପରିଷଦ ଅଧ୍ୟକ୍ଷା କୁମୁଦିନି ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I

