ସମ୍ବଲପୁର,୦୮/୦୫(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ରେଡକ୍ରସ ସୋସାଇଟି ଜିଲ୍ଲା ଶାଖା ପକ୍ଷରୁ ବିଶ୍ୱ ରେଡକ୍ରସ ଆନ୍ଦୋଳନର ପ୍ରତିଷ୍ଠାତା ସାର୍ ଜିନ୍ ହେନେରୀ ଡୁନାଣ୍ଟଙ୍କ ଜୟନ୍ତୀ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ “ବିଶ୍ୱ ରେଡକ୍ରସ୍ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ “ମାନବିକତା ପାଇଁ ଏକଜୁଟ”କୁ ପାଥେୟ କରି ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ତ୍ରିଲୋଚନ ନେତ୍ରାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଓ ପରୀକ୍ଷା ଶିବିର ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୁଧାଂଶୁ କୁମାର ଭୋଇ, ଅତିରିକ୍ତ ଜିଲ୍ଲପାଳ (ସାଧାରଣ) ଅଶୋକ କୁମାର ଭୋଇ, ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ଅନ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ I ଏହିଅବସରରେ ଅତିରିକ୍ତ ଜିଲ୍ଲପାଳ(ସାଧାରଣ) ଶ୍ରୀ ଭୋଇ, ଯୋଗଦେଇ ମାନବ ସେବା କ୍ଷେତ୍ରରେ ରେଡକ୍ରସର ଭୂମିକା ଉପରେ ଓ ଥାଲିଶିମିଆ ଉପରେ ଆଲୋକପାତ କରିଥିଲେ। ରେଡକ୍ରସର ସମସ୍ତ ଦୁଃଖୀ ଦରିଦ୍ର ଙ୍କ ଅସୁବିଧା ସମୟରେ ବରଦାନ ସାବ୍ୟସ୍ତ ହୋଇଛି I ରେଡକ୍ରସ ରକ୍ତଦାନ ହେଉଛି ମହାଦାନ ଏବଂ ଜଣଙ୍କର ରକ୍ତଦାନ ଅନ୍ୟ ଜଣଙ୍କୁ ଜୀବନଦାନ ଦେଇପାରେ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ଭୋଇ ବିଶେଷକରି ଯୁବପିଢ଼ି ଓ ସରକାରୀ କର୍ମଚାରୀମାନେ ରକ୍ତଦାନ ଭଳି ମହତ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଆହ୍ୱାନ ଦେଇଥିଲେ।ସମୁଦାୟ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବେଳେ ୬୪ ଜଣ ଙ୍କୁ ମାଗଣାରେ ଚକ୍ଷୁ ପରୀକ୍ଷା ଯୋଗାଇ ଦିଆଯାଇଥିଲା। ଏହି ଶିବିରରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ, ଜିଲ୍ଲା ପ୍ରଶାସନର କର୍ମଚାରୀ ଏବଂ ସାଧାରଣ ଜନତା ରକ୍ତଦାନ କରିଥିଲେ I ଏହି ଅବସରରେସମ୍ବଲପୁର ଜିଲ୍ଲା ରେଡକ୍ରସ୍ ସୋସାଇଟି ପକ୍ଷରୁ ସର୍ବାଧିକ ଅର୍ଥରାଶି ସଂଗ୍ରହ କ୍ଷେତ୍ରରେ ଡେପୁଟି କଲେକ୍ଟର (ଜୁଡିସିଆଲ୍) ନିରଞ୍ଜନ ସାହୁ ଙ୍କୁ ପ୍ରଥମ ସ୍ଥାନରେ, ତହସିଲଦାର, ରେଢ଼ାଖୋଲ ଙ୍କୁ ଦ୍ଵିତୀୟ ସ୍ଥାନରେ, ସମ୍ବଲପୁର ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ଙ୍କୁ ତୃତୀୟ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟାନ୍ୟ ପ୍ରମୁଖ ବିଭାଗ ମଧ୍ୟରେ ସମ୍ବଲପୁର ମହାନଗର ନିଗମ, ବାମରା ମଙ୍ଗଳ ଉନ୍ନୟନ ଅଧିକାରୀ, ସି.ଏସ୍.ଓ (ସମ୍ବଲପୁର), ଅବକାରୀ ବିଭାଗ ଅଧିକ୍ଷକ , ଜିଲ୍ଲା ସମାଜକଲ୍ଯାଣ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ଙ୍କୁ ରେଡକ୍ରସ୍ ପାଣ୍ଠିକୁ ସହାୟତା ପ୍ରଦାନକରି ପ୍ରଶଂସା ପତ୍ର ପାଇଥିଲେ। ଏହି ଅବସରରେ ରେଡକ୍ରସ ପାଣ୍ଠି ସଂଗ୍ରହ ଏବଂ ନୂତନ ସଦସ୍ୟ ପଞ୍ଜୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ଜିଲ୍ଲାର ପ୍ରେମରାଜ ନିଆଲ (ନିହାଲ ସିଂ) – ପୃଷ୍ଠପୋଷକ, ଜିଲ୍ଲା ରେଡକ୍ରସ ଶାଖା, ସମ୍ବଲପୁର, ମୋମିନା ଖାତୁନ – ଉପ-ପୃଷ୍ଠପୋଷକ ଜିଲ୍ଲା ରେଡକ୍ରସ ଶାଖା, ସମ୍ବଲପୁର, ଡାକ୍ତର ସୁଶୀଲ କୁମାର ବେହେରା – ଆଜୀବନ ସଦସ୍ୟ,ଜିଲ୍ଲା ରେଡକ୍ରସ ଶାଖା, ସମ୍ବଲପୁର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମକୁ ରେଡ କ୍ରୋସ ସମ୍ପାଦିକା ରୋଜାଲିନା ତିର୍କୀ ପରିଚାଳନା କରିଥିଲେ।

