ସୁନ୍ଦରଗଡ଼:13//5,(ଉତ୍କଳ ସମାଚାର) ଜିଲ୍ଲା ସଦର ମହକୁମା ଠାରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଦଭାବନା ଭବନ ଠାରେ ଅନୁଷ୍ଠିତ ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୯୨ ଗୋଟି ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୬୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୧୭ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୧୯ ଗୋଟି ଅଭିଯୋଗ ଗୁଡ଼ିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୧୧ ଗୋଟି ଆବେଦନ ରହିଥିଲା। ଆଜିର ଏହି ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ପି ଏ ଆଇ ଟି ଡି ଏ ଶ୍ରୀ ଧୀରେନ୍ଦ୍ର ସେଠୀ, ସଦର ଏସ ଡି ପି ଓ ଶ୍ରୀ ନିର୍ମଳ କୁମାର ମହାପାତ୍ର ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

