ସୁନ୍ଦରଗଡ଼,28//5,(ଉତ୍କଳ ସମାଚାର)ରାଜ୍ୟରେ ଆରମ୍ଭ ହୋଇଯାଇଅଛି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍. ନିମନ୍ତେ ବିଭିନ୍ନ ପ୍ରକ୍ରିୟା। ଏଥି ନିମନ୍ତେ ସୁନ୍ଦରଗଡ଼ ଜିଲ୍ଲାରେ ବୁଥ ସ୍ତରୀୟ ଅଧିକାରୀ ବା ବି. ଏଲ. ଓ. ମାନଙ୍କର ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଅଛି। ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ବା ଏ. ଇ . ଆର . ଓ , ବୁଥ ସ୍ତରୀୟ ଅଧିକାରୀ, ବୁଥ ସ୍ତରୀୟ ଅଧିକାରୀଙ୍କ ସୁପରଭାଇଜର ଏବଂ ସ୍ୱେଛାସେବୀମାନେ ଯୋଗଦେଇଥିଲେ। ଏସ ଆଇ ଆର ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ସଠିକ୍ ଭୋଟର ତାଲିକାକୁ ସୁନିଶ୍ଚିତ କରିବା ଏବଂ ସମସ୍ତ ଯୋଗ୍ୟ ଭୋଟର ମାନଙ୍କୁ ତାଲିକା ଅନ୍ତର୍ଭୁକ୍ତ କରିବା। ଏହି ପ୍ରଶିକ୍ଷଣରେ ଏସ ଆଇ ଆର୍ ଅର୍ନ୍ତଗତ ବିଭିନ୍ନ ସମୟ ସୀମା ମଧ୍ୟରେ ଥିବା ସମସ୍ତ ପ୍ରକ୍ରିୟା, ବି. ଏଲ. ଓ. ମାନଙ୍କ ଦ୍ଵାରା ଘର କୁ ଘର ବୁଲି ଫର୍ମ ବିତରଣ ଓ ଫର୍ମ ସଂଗ୍ରହ, ଫର୍ମ ପୂରଣ ପଦ୍ଧତି ଆଦି ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହା ସହିତ ଏହି ପ୍ରକ୍ରିୟା ରେ ବି ଏଲ ଓ ସୁପରଭାଇଜର ମାନଙ୍କ ଦାୟିତ୍ୱ ଉପରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏଥି ସହିତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବି. ଏଲ . ଓ. ମାନେ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉକି, ଚଳିତ ମଇ ୩୦ ତାରିଖରୁ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଏହି ବୁଥ ସ୍ତରୀୟ ଅଧିକାରୀ ମାନେ ଘର କୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରିବେ । ଏହି ପ୍ରକ୍ରିୟାରେ ସମସ୍ତ ଜିଲ୍ଲାବାସୀ ସକ୍ରିୟ ସାମିଲ ହେବା ସହିତ ବି ଏଲ ଓ ମାନେ ଘର କୁ ଆସିଲେ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ତଥା ଯୋଗ୍ୟ ଭୋଟର ମାନେ ଯେଭଳି ତାଲିକାରୁ ବାଦ୍ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

