ରାଉରକେଲା ୩୦/୫,(ଉତ୍କଳ ସମାଚାର) ଗତକାଲି ଶୁକ୍ରବାର ରାତିରେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ବି. ବି. ଖଟେଇ ଏବଂ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀ ଥାନା ଅଞ୍ଚଳରେ ରାତ୍ରି ପାଟ୍ରୋଲିଂ ଡ୍ୟୁଟି କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ, ଚଢାଉ କରି ପୋଲିସ ୫ ଜଣ ଡକାୟତି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ୫ ଅଭିଯୁକ୍ତଙ୍କ ମଧ୍ଯରେ ସୋନୁ ସିଂହ ଓରଫ୍ ତୁଣ୍ଡି, ଦୀପକ ସଣ୍ଢ ଓରଫ୍ ସାନବାବୁ, ଭିକି ଅହମ୍ମଦ ଓରଫ୍ ରକି, ସହିଦ ଖାନ ଓରଫ୍ ସାହିଲ ଏବଂ କୃଷ୍ଣ ଦାସ ଓରଫ୍ ଖେପା। ଭିଯୁକ୍ତମାନେ ସେକ୍ଟର-୨୧ ନୟାବଜାର ଠାରେ ଖଣ୍ଡା, ଭୁଜାଲି (କାତି), ଲୁହା ରଡ୍ ଭଳି ମାରାତ୍ମକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ହେବା ସହ ଏକତ୍ରିତ ହୋଇ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେମାନେ ପଥଚାରୀ, ନିକଟବର୍ତ୍ତୀ ଘର, ଦୋକାନ, ପେଟ୍ରୋଲ ପମ୍ପରୁ ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି। ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦ୍ବାରା ଏକ ଜଘନ୍ୟ ଅପରାଧକୁ ରୋକାଯାଇପାରିବା ସହିତ କଠୋର ଅପରାଧୀମାନଙ୍କୁ ଧରି କୋର୍ଟକୁ ପଠାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଗାନ୍ଧି ରୋଡ୍ ନୂଆ ବସ ଷ୍ଟାଣ୍ଡ ଅଞ୍ଚଳର ସୋନୁ ସିଂହ ଓରଫ୍ ତୁଣ୍ଡି (୨୦), ରାଉରକେଲା ରେଳବାଇ କଲୋନୀ ଝୁପୁଡିବସ୍ତିର ଦୀପକ ସଣ୍ଢ ଓରଫ୍ ସାନବାବୁ (୨୯), ଗାନ୍ଧୀ ରୋଡ ନୂଆ ବସ ଷ୍ଟାଣ୍ଡର ଭିକି ଅହମ୍ମଦ ଓରଫ୍ ରକି (୨୪), ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ରହମତନଗର ସାହୁଲ ଖାନ୍ ଓରଫ୍ ସାହିଲ (୧୯ ବର୍ଷ) ଏବଂ ରାଉରକେଲା ରେଳବାଇ କଲୋନୀ ହରିୟାନବସ୍ତି ସ୍ୱର୍ଗତ ଅରୁଣ ଦାସଙ୍କ ପୁଅ କୃଷ୍ଣ ଦାସ (୧୯ ବର୍ଷ)। ଗିରଫ ୫ ଅଭିଯୁକ୍ତଙ୍କ ନିକଟରୁ ଦୁଇ ଖଣ୍ଡ ଲୁହା ଖଣ୍ଡା, ଗୋଟିଏ ଭୁଜାଲି (କାତି), ଦୁଇ ଖଣ୍ଡ ଲୁହା ରଡ୍ ଜବତ୍ କରାଯାଇଛି।ଅଭିଯୁକ୍ତ ସୋନୁ ସିଂହ ଓରଫ୍ ତୁଣ୍ଡ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ୫ଟି ମାମଲା, ଅଭିଯୁକ୍ତ ଦୀପକ ଷଣ୍ଢ ଓରଫ୍ ସାନବାବୁ ନାମରେ ପୂର୍ବରୁ ଜିଆରପି, ପ୍ଲାଣ୍ଟସାଇଟ୍ ଓ ଅନ୍ୟାନ୍ୟ ଥାନାରେ ୨୩ଟି ମାମଲା ରହିଛି।ଅଭିଯୁକ୍ତମାନଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର-୫୫୭/ ୩୦.୦୫.୨୦୨୬ ବିଏନ୍ଏସ୍ ଧାରା ୩୧୦(୪)/୩୧୦(୫)/୨୫(୧)(କ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

