ରାଇଘର (ନରସିଂବାଘ), ତାରିଖ: ୭//୬:(ଉତ୍କଳ ସମାଚାର)ଓଡିଶାରେ ଶିକ୍ଷା ଉନ୍ନତି ପାଇଁ ଆଉ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆଭାସୀ ମାଧ୍ୟମରେ ରାଜ୍ୟର ୩୧୫ଟି ବିଦ୍ୟାଳୟ ପରିସରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏହାର ଅଂଶ ଭାବେ ରାଇଘର ବ୍ଲକର ପାଞ୍ଚଟି ପଂଚାୟତ—କାଡୋରିବେଡା, ଭାରଶୁଣ୍ଡି, ପାହିଲିପାର, ରେଙ୍ଗାଭାଟି ଏବଂ ସୋନାରପାର—ର ପାଞ୍ଚଟି ବିଦ୍ୟାଳୟ ପରିସରରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା।ଏହି କ୍ରମରେ କୁରାବେଡା ପଂଚାୟତ ଅଧୀନରେ ଥିବା ରେଙ୍ଗାଭାଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ ହୋଇଛି।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନା ଶିକ୍ଷା ବ୍ୟବସ୍ଥାକୁ ତୃଣମୂଳ ସ୍ତରରୁ ସୁଦୃଢ କରିବ। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ମାର୍ଟ ଶ୍ରେଣୀଗୃହ, ହୋଷ୍ଟେଲ ସୁବିଧା, ଲାଇବ୍ରେରୀ, ଡାଇନିଂ ହଲ, ଖେଳ ପଡିଆ ଓ ଅତ୍ୟାଧୁନିକ ଶିକ୍ଷା ସାମଗ୍ରୀ ସହିତ ସ୍ୱଚ୍ଛ ଓ ସୁସ୍ଥ ପରିବେଶରେ ପାଠ ପଢିବାର ସୁଯୋଗ ପାଇବେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୀରାଲାଲ ଗଣ୍ଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମନ୍ତ୍ରୀ ପ୍ରତିନିଧି ସୁଦର୍ଶନ ଗଣ୍ଡ, ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝଙ୍କାର, କୁରାବେଡା ସମିତି ସଭ୍ୟା ମୁଞ୍ଜୁ ଲତା ଝଙ୍କାର, କୁରାବେଡା ସରପଞ୍ଚ ରାଜକୁମାର ଗଣ୍ଡ ସହିତ ଅନ୍ୟାନ୍ୟ ସମ୍ମାନୀୟ ବ୍ୟକ୍ତିମାନେ ମଞ୍ଚାସୀନ ଥିଲେ।

