ସୁନ୍ଦରଗଡ:8//6,(ଉତ୍କଳ ସମାଚାର) ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ APC ଯୋଜନା ଅଧୀନରେ ଗଠିତ “ସମ୍ପର୍ଣ୍ଣା ମିଶନ ମହିଳା ଫାର୍ମରସ୍ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ୍” ଦ୍ୱାରା ମୋଟ ୨୭.୭୮ କ୍ୱିଣ୍ଟାଲ ଆମ୍ରପାଲୀ ଆମ୍ବ ସଫଳତାର ସହ ଦୁବାଇ ଏବଂ ରୋମକୁ ରପ୍ତାନି କରାଯାଇଛି। ଏହି ବିପଣନ କାର୍ଯ୍ୟକ୍ରମ ମାଧ୍ୟମରେ କୁତ୍ରା ବ୍ଲକର ଡମପୋଷ ଗ୍ରାମର ୧୦ ଜଣ ଚାଷୀ ଉପକୃତ ହୋଇଛନ୍ତି। ଏହି ସମୂହ ବିପଣନ (କଲେକ୍ଟିଭ ମାର୍କେଟିଂ) କାର୍ଯ୍ୟରେ ଉଦ୍ୟାନ କୃଷି ବିଭାଗରେ ନିଯୁକ୍ତ ଥିବା ପି.ଏସ୍.ଏଫ୍.ପି ଓ ପ୍ରକଳ୍ପ ବିକ୍ରେତା (ଭେଣ୍ଡର) ସଂଯୋଗ ସ୍ଥାପନ କରିଥିଲେ। APC ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି କ୍ଷୁଦ୍ର ଓ ମହିଳା ଚାଷୀମାନଙ୍କର ଆୟ ବୃଦ୍ଧି କରିବା ଏବଂ ସେମାନଙ୍କୁ ବଜାର ସହ ସଂଯୋଗ କରାଇବା। ଏପିସି ଯୋଜନାରେ ମିଶନ ଶକ୍ତି ଭାଗଙ୍କ ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ମୋଟ ୧୭ଟି ମହିଳା ଉତ୍ପାଦକ କମ୍ପାନୀ ଗଠନ କରାଯାଇଛି। ଗତ ବର୍ଷ ଏହିପରି ଲେଫ୍ରିପଡାରୁ ଆଲୋକପ୍ରଭା ମହିଳା ପ୍ରୋଡ୍ୟୁସର କମ୍ପାନୀ ଦ୍ୱାରା ୧୯ କ୍ୱିଣ୍ଟାଲ ଆମ୍ବ ଫ୍ରାନ୍ସକୁ ରପ୍ତାନି କରାଯାଇଥିଲା। ଏହିପରି ଭାବେ ବିଦେଶ ବଜାରକୁ ଆମ୍ବ ରପ୍ତାନୀ କରି ସୁନ୍ଦରଗଡ଼ ଜିଲ୍ଲାର ଚାଷୀ ନିଜର ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି।

