ରାଉରକେଲା ୧୦/୬,(ଉତ୍କଳ ସମାଚାର) ବାହାରର ଟିପ୍ପର ଦ୍ବାରା ରାଉରକେଲା ଇସ୍ପାତ କାରଖାନାରୁ ମାଲ ପରିବହନକୁ ନେଇ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ପକ୍ଷରୁ ସୋମବାର ଜୁନ୍ ୮ ତାରିଖରୁ ଆରମ୍ଭ ହୋଇଥିବା ଧର୍ମଘଟ ଆଜି ତୃତୀୟ ଦିନରେ ପହଞ୍ଚିବା ବେଳେ, ଆରଏସପି କର୍ତ୍ତୃପକ୍ଷ, ମାଲ ପରିବହନ କରୁଥିବା ଏସ୍ଏସ୍ ଟ୍ରେଡିଂ, ସ୍ବସ୍ତିକ୍ ଏଣ୍ଟରପ୍ରାଇଜେସ୍ ଏବଂ ଏଟିଚ୍ଯୁଡ୍ ଏକ୍ଜିମ୍ ପ୍ରାଇଭେଟ୍ ଲିମିଟେଡ୍, ଟାଙ୍ଗରପାଲ୍ଲୀ ଥାନା ଅଧିକାରୀ, ସିଆଇଏସ୍ଏଫ୍ ଅଧିକାରୀଙ୍କ ସମେତ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହେବା ପରେ, ଧର୍ମଘଟକୁ ପ୍ରତ୍ଯାହୃତ କରାଯାଇଛି। ଆଲୋଚନାରେ ଅଂଶଗ୍ରହଣ କରିଥିବା ରାଉରକେଲା ଇସ୍ପାତ କାରଖାନାର ଅଧିକାରୀଙ୍କ ସର୍ତ୍ତାବଳୀରେ ସମସ୍ତ ପକ୍ଷ ରାଜି ହେଲାପରେ ଏହି ଧର୍ମଘଟକୁ ପ୍ରତ୍ଯାହୃତ କରାଯାଇଛି। ମାଲ (ରାଖଡ) ପରିବହନ ପାଇଁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘକୁ ଅନୁମତି ମିଳିବା ପରେ, ଏ ନେଇ ଆରଏସପି ସହ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ରାଜିନାମା ହେବା ପାଇଂ ଜୁନ୍ ୧୪ ତାରିଖକୁ ଧାର୍ଯ୍ୟ କରାଯାଇଛି। ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ ରାଜିନାମା ନେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଆରଏସପି ସହିତ ମାଲ ପରିବହନ ପାଇଁ ଆଲୋଚନାରେ ସମସ୍ତ କଥାବାର୍ତ୍ତ ସରିଥିବା ବେଳେ ଜୁନ୍ ୧୫ ତାରିଖରୁ ରାଖଡ ପରିବହନ ପାଇଁ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ଟିପ୍ପର ଲାଗିବ। ଏଥିସହିତ ଦର ଧାର୍ଯ୍ୟ ପାଇଁ ଜୁନ୍ ୧୪ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି। ତେଣୁ ସେପର୍ଯ୍ୟନ୍ତ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ପକ୍ଷରୁ ଧର୍ମଘଟକୁ ପ୍ରତ୍ଯାହୃତ କରାଯାଇଛି। ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘ ପକ୍ଷରୁ ଆଲୋଚନା ସମୟରେ ରଘୁନାଥପାଲ୍ଲୀ ଟିପ୍ପର ମାଲିକ ସଂଘର ସଭାପତି ଅଶୋକ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଅବନୀ ରଞ୍ଜନ ଷଢଙ୍ଗୀ, ଉପଦେଷ୍ଟା ଦେବ ପ୍ରସାଦ ମିଶ୍ର, ଉପସଭାପତି ନିରଞ୍ଜନ ମିଶ୍ର ପକ୍ଷ ରଖିଥିଲା ବେଳେ, ମାଲ ପରିବହନ କରୁଥିବା ଏସ୍ ଏସ୍ ଟ୍ରେଡିଂ ଏବଂ ସ୍ବସ୍ତିକ୍ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ରାକେଶ ସିଂହ, ଏଟିଚ୍ଯୁଡ୍ ଏକ୍ଜିମ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଜଗନ୍ନାଥ ଧଳ, ଟାଙ୍ଗରପାଲ୍ଲୀ ଆଇଆଇସି ନିରଞ୍ଜନ ସେଠି, ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସିଜିଏମ୍ (ପିପିସି) ସୁନୀତା ସିଂହ, ଏଚ୍ଓଡି ଏମ୍ଆରଡି ସନ୍ତୋଷ ଭୂୟାଁ ଏବଂ ସିଆଇଏସ୍ଏଫ୍ ଇନିସପେକ୍ଟର ଏ. କେ. ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
