କେନ୍ଦୁଝର,12//6,(ଉତ୍କଳ ସମାଚାର) : ଆଗାମୀ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୬କୁ ଜିଲ୍ଲାରେ ବ୍ୟାପକ ଓ ସଫଳତାର ସହ ପାଳନ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଓସୱାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।ଏହି ବୈଠକ ର ନିଷ୍ପତି ଅନୁଯାୟୀ ଯୋଗ ଦିବସର ସୁଚାରୁ ପରିଚାଳନା ପାଇଁ ବ୍ଲକ ସ୍ତରରେ ସମ୍ପୃକ୍ତ ବ୍ଲକ ଉନ୍ନୟନ ଅଧିକାରୀ ମାନଙ୍କ ଅଧ୍ୟକ୍ଷତାରେ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ଅଧ୍ୟକ୍ଷତାରେ ଆୟୋଜନ କମିଟି ଗଠନ କରାଯିବ। ଜିଲ୍ଲା ଓ ବ୍ଲକ ଯୋଗ ମହୋତ୍ସବ ସମିତି ସହ ଆଲୋଚନା କରି ପ୍ରତି କାର୍ଯ୍ୟକ୍ରମ ପାଇଁ ପ୍ରମାଣିତ ଯୋଗ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯିବ। ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପ୍ରଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ ୪୫ ମିନିଟର ‘ସାଧାରଣ ଯୋଗ ପ୍ରୋଟୋକଲ’ ଅନୁଷ୍ଠିତ ହେବ ଏବଂ ଏହା ପରେ ସମସ୍ତେ ଯୋଗ ଶପଥ ପାଠ କରିବେ। ପ୍ରତି ବ୍ଲକ ଏବଂ ପୌରପାଳିକା ସ୍ତରରେ ଅତିକମରେ ୨୦୦ ଜଣ ଏବଂ ପ୍ରତି ଗ୍ରାମ ପଞ୍ଚାୟତ ସ୍ତରରେ ଅତିକମରେ ୫୦ ଜଣ ଅଂଶଗ୍ରହଣକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଯୋଗ ଫୋରମ୍ ଗୁଡିକରେ ସଠିକ୍ ମଞ୍ଚ ପ୍ରସ୍ତୁତି, ସାଉଣ୍ଡ ସିଷ୍ଟମ, ପାନୀୟ ଜଳ, ବ୍ୟାନର ଏବଂ ଶୌଚାଳୟ ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଫଳ ଆୟୋଜନ ପାଇଁ ପ୍ରତି ବ୍ଲକ ଓ ପୌରପାଳିକାକୁ ୧୫,୦୦୦ ଟଙ୍କା ଏବଂ ପ୍ରତି ଗ୍ରାମ ପଞ୍ଚାୟତକୁ ୨,୦୦୦ ଟଙ୍କାର ପାଣ୍ଠି ପ୍ରଦାନ କରାଯିବ ଏବଂ କାର୍ଯ୍ୟକ୍ରମ ଶେଷ ହେବା ପରେ ତୁରନ୍ତ ଉପଯୋଗିତା ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଛି।ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏଥିସହ ଯୋଗ ମହୋତ୍ସବ ସମିତିର ଜିଲ୍ଲା ସଂଯୋଜକ ଶ୍ରୀ ମହେନ୍ଦ୍ର କୁମାର ସାହୁ, ଓଆରଏସ୍ – ଜିଲ୍ଲା କ୍ରୀଡ଼ା ଅଧିକାରୀ, ସରୋଜ କୁମାର ମଲ୍ଲିକ, କେନ୍ଦୁଝର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତିର୍ମୟୀ ନାଏକ, ଜିଲ୍ଲା ମୁଖ୍ୟ ଶିକ୍ଷକ (ଯୋଗ ମହୋତ୍ସବ ସମିତି) ଶ୍ରୀ ଦୁଃଶାସନ ମହାନ୍ତଙ୍କ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
