ରାଉରକେଲା:17//6,(ଉତ୍କଳ ସମାଚାର) ପ୍ଲାଣ୍ଟସାଇଟ୍ ଥାନା ପୋଲିସ ଏକ ବଡ଼ ଅପରାଧିକ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ଡକାୟତି ପାଇଁ ଯୋଜନା କରୁଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର-୬୧୮, ତାରିଖ ୧୬ ଜୁନ୍ ୨୦୨୬ ରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା 310(4), 310(5) ଏବଂ ଆର୍ମସ୍ ଆକ୍ଟର ଧାରା 25(1)(A) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ବିଭତ୍ସ ପ୍ରଧାନ ପ୍ରେସ୍ ବିବୃତ୍ତି ଜରିଆରେ ଏହି ସୂଚନା ସ୍ପଷ୍ଟ କରିଛନ୍ତି।ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ କହିବା ଅନୁଯାୟୀ, ଜୁନ୍ ୧୫ ଓ ୧୬ ତାରିଖ ବିଳମ୍ବିତ ରାତିରେ ସବ୍-ଇନ୍ସପେକ୍ଟର ଏସ୍. ବଲ୍ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦୀପ୍ତି ହୋଟେଲ ନିକଟସ୍ଥ ଟିମ୍ବର କଲୋନୀ ଶୌଚାଳୟ ପଛପଟେ ଥିବା ଏକ ନିଛାଟିଆ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେଠାରେ ୫ ଜଣ ଯୁବକ ତରବାରି, ଭୁଜାଲି ଏବଂ ଲୁହା ରଡ୍ ଭଳି ମାରଣାସ୍ତ୍ର ଧରି ଏକାଠି ହୋଇଥିଲେ ଏବଂ ବାଟୋଇ, ଆଖପାଖର ଘର, ଦୋକାନ ଓ ପେଟ୍ରୋଲ ପମ୍ପରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ।ପୋଲିସ ଘଟଣାସ୍ଥଳରୁ କୋୟଲ ବାଗ (୩୧), ଶେଖ୍ ଆୟୁବ (୩୨), ଅଜୟ ଯାଦବ (୩୦), ରୋହିତ ସିଂ (୨୩) ଏବଂ ରାଜା ଯାଦବ (୨୩)ଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଲୁହା ତରବାରି, ଗୋଟିଏ ଭୁଜାଲି ଏବଂ ଦୁଇଟି ଲୁହା ରଡ୍ ଜବତ କରାଯାଇଛି।ତଦନ୍ତରୁ ଜଣାପଡ଼ିଛି ଯେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧିକ ପୃଷ୍ଠଭୂମି ରହିଛି। ସେମାନଙ୍କ ବିରୋଧରେ ହତ୍ୟା, ଲୁଟ୍, ଡକାୟତି, ଚୋରି, ମାଡ଼ପିଟ୍, ଆର୍ମସ୍ ଆକ୍ଟ, ଏନଡିପିଏସ ଆକ୍ଟ ଏବଂ ଅନ୍ୟାନ୍ୟ ସଙ୍ଗୀନ ଧାରାରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।ପୋଲିସର ତତ୍ପରତା ଯୋଗୁଁ ଏକ ବଡ଼ ଅପରାଧିକ ଘଟଣାକୁ ସମୟ ଥାଉ ଥାଉ ରୋକାଯାଇ ପାରିଛି, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

