କେନ୍ଦୁଝର,23//6,(ଉତ୍କଳ ସମାଚାର): ଜିଲ୍ଲା ପ୍ରଶାସନ, ପକ୍ଷରୁ ଦରବାର ହଲ୍ଠାରେ ‘ବିକାଶର ଧାରା, ଓଡ଼ିଶା ସାରା’ ଶୀର୍ଷକରେ ଏକ ସ୍ୱତନ୍ତ୍ର ‘ସଭାଗୃହ ବୈଠକ ଓ ମିଡିଆ କନେକ୍ଟ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀର ଆୟୋଜନ କରାଯାଇ ଶୁଭାରମ୍ଭ ମୁଖ୍ୟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କରାଯାଇଥିଲା। ପ୍ରଦର୍ଶନୀରେ ଜିଲ୍ଲାର ସମସ୍ତ ବିଭାଗ ପକ୍ଷରୁ ହାସଲ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ଚିତ୍ରିତ କରାଯାଇ ବିଭିନ୍ନ ଜନସାଧାରଣ ସରକାରୀ ସୁବିଧାରୁ ଉପକୃତ ହେଉଛନ୍ତି, ପ୍ରଦର୍ଶିତ ହୋଇଥିଲା। ଦରବାର ହଲ୍ଠାରେ ଆୟୋଜିତ ସଭାଗୃହ ବୈଠକ ଓ ‘ମିଡ଼ିଆ କନେକ୍ଟ’ କାର୍ଯ୍ୟକ୍ରମ ଜିଲ୍ଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ଜିଲ୍ଲାର ବିକାଶମୂଳକ କାର୍ଯ୍ୟଧାରା ଉପରେ ଆଲୋକପାତ କରାଯାଇଥିଲା। ଜିଲ୍ଲାପାଳ କହିଥିଲେ ଯେ, କୃଷକ, ଶିକ୍ଷା ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି , ତାହା ସାକାର ହେବାରେ ଲାଗିଛି। ବିକାଶମୂଳକ ଯୋଜନା ଅନ୍ତର୍ଗତ ମହିଳା ସଶକ୍ତିକରଣରେ ସାମିଲ ଥିବା ‘ଲକ୍ଷପତି ଦିଦି’ ଯୋଜନା ଆମ ଜିଲ୍ଲାରେ ସଫଳତାର ସହ ଆଗେଇ ଚାଲିଛି ବୋଲି ସେ ମତପ୍ରକାଶ କରିଥିଲେ। ଏଥିସହିତ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପଗୁଡ଼ିକ ୨୦୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଲୋକସଭା ସାଂସଦ ଅନନ୍ତ ନାୟକ ପ୍ରକାଶ କରି କହିଲେ , ମୌଳିକ ଚିନ୍ତନରୁ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇଥାଏ। ପ୍ରଶାସନ, ଜନସାଧାରଣ ଏବଂ ସରକାର—ଏହି ତିନି ଶକ୍ତି ଯେତେବେଳେ ଏକତ୍ରିତ ହୁଅନ୍ତି, ସେତେବେଳେ ଦେଶର ବିକାଶ ତ୍ୱରାନ୍ୱିତ ହୁଏ। ଗତ ଦୁଇ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସରକାର ଲୋକସେବାର ମନୋଭାବ ନେଇ କାର୍ଯ୍ୟ କରୁଛି ବୋଲି ସେ ମତପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାରୀ ଯୋଜନାଗୁଡ଼ିକ ସର୍ବଦା ଲୋକଙ୍କ ସେବାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି, ଯେଉଁଥିରେ କୃଷକ, ମହିଳା ଓ ଯୁବକମାନଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି। ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାର କେନ୍ଦ୍ର ଜଙ୍ଗଲର ସୁରକ୍ଷା ଓ ବିକାଶ ପାଇଁ ‘ବନ୍ଧନ ବିକାଶ କେନ୍ଦ୍ର’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ। କେନ୍ଦୁଝରର କୃଷି, ଜଙ୍ଗଲ ଓ ପରିବେଶକୁ ଅକ୍ଷୁର୍ଣ୍ଣ ରଖି ସନ୍ତୁଳିତ ବିକାଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ସରକାରୀ ଯୋଜନାର ସଫଳ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ମିଡ଼ିଆ କନେକ୍ଟ’ କାର୍ଯ୍ୟକ୍ରମ ରେ ଉପସ୍ଥିତ ସାମ୍ବାଦିକ ବୃନ୍ଦ ଜିଲ୍ଲାର ବିକାଶ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ସେମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ମଧ୍ୟରେ ,ଖଣିଜ ସମ୍ପଦର ସୁପରିଚାଳନା, ବେକାର ଯୁବକଯୁବତୀଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ୱାରୋପ , ଜିଲ୍ଲାର କଳା ଓ ସଂସ୍କୃତିର ସଂରକ୍ଷଣ ପାଇଁ ଅସନପାଟ ଗ୍ରାମର ପ୍ରସିଦ୍ଧ ଛଉ ନୃତ୍ୟର ବିକାଶ, ଆଦିବାସୀ କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏକ ‘ଜନଜାତି ସଂସ୍କୃତି କେନ୍ଦ୍ର’ ପ୍ରତିଷ୍ଠା ଏବଂ ଲୋପ ପାଇଯାଉଥିବା କଣ୍ଢେଇ ନାଚର ପୁନଃରୁଦ୍ଧାର ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସାମାଜିକ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ପେନସନ ବ୍ୟବସ୍ଥା ଲାଗୁ କରିବାକୁ ପରାମର୍ଶ ଦେଇଥିଲେ। ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ମତ ରଖିଥିଲେ। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସହ ଅନ୍ୟ ସମସ୍ତ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

