ନବରଙ୍ଗପୁର ତା ୨୩.୬.୨୦୨୬:(ଉତ୍କଳ ସମାଚାର) ଆଜି ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ ତୃତୀୟ ପର୍ଯ୍ୟାୟ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି,ସାଂସଦ ଲୋକସଭା ବଳଭଦ୍ର ମାଝୀ ବରେଣ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ୱାଇଁ ଯୋଗ ଦେଇ ଜମି ଅଧିଗ୍ରହଣ ଯୋଗୁଁ ନନ୍ଦାହାଣ୍ଡି ତହସିଲର ଜମି ହରାଇଥିବା ୧୪୪ ଜଣ ବ୍ୟକ୍ତିଙ୍କୁ ୧୫୩ କୋଟିଟଙ୍କା ର ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବିଶିଷ୍ଟ ସମାଜସେବୀ କୁଞ୍ଜ ବିହାରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି ପ୍ରକଳ୍ପ ନିମନ୍ତେ ନନ୍ଦାହାଣ୍ଡି ତହସିଲ ର ଦହିଭଟା,ନୁଆଗୁଡା, ଗଦବାଗୁଡା,ସିନ୍ଧିଗୁଡା ମୌଜା ର ୧୦୮.୫୫ ଏକର ଜମି ଅଧିଗ୍ରହଣ କରାଯାଇଛି ଏବଂ ଏହି ପ୍ରକଳ୍ପ ପାଇଁ ୫.୧୩ ଏକର ସରକାରୀ ଜମି ମଧ୍ୟ ଅଧିଗ୍ରହଣ ହୋଇଛି।ମୁଖ୍ୟ ଅତିଥି ଏହି ଅବସରରେ ରେଳ ପ୍ରକଳ୍ପ ଯୋଗୁଁ ନବରଙ୍ଗପୁର ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହେବ ବୋଲି କହିଥିଲେ।ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ଙ୍କ ଓଡ଼ିଶା ରାଜ୍ୟରେ ରେଳ ପ୍ରକଳ୍ପ ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କା ର ବ୍ୟୟବରାଦ କୁ ପ୍ରଶଂସା କରିବା ସହ ଭାରତ ମାଳା ରାସ୍ତା,ଜୟପୁର ବ୍ରହ୍ମପୁର ୬ ଟିକିଆ ରାସ୍ତା,ମେଡିକାଲ କଲେଜ,ବ୍ଲକ୍ ଷ୍ଟାଡିୟମ୍ ,ଆଦର୍ଶ ବିଦ୍ୟାଳୟ,ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଏହା ଜିଲ୍ଲାର ବିକାଶ ରେ ବିଶେଷ ସହାୟକ ହେବ ବୋଲି କହିଥିଲେ।ମାନ୍ୟବର ସାଂସଦ ନିଜ ବକ୍ତବ୍ୟରେ ଏହି ରେଳ ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ବହୁ ଦିନର ଦାବି ଓ ସ୍ୱପ୍ନକୁ ପୂରଣ କରିବ ଏବଂ ଡିସେମ୍ୱର ସୁଦ୍ଧା ଖୁବ ଶୀଘ୍ର ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିବା ସହ ରେଳ ପ୍ରକଳ୍ପ ରେ ଜମି ଦେଇଥିବା ବ୍ୟକ୍ତିଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।ପ୍ରକାଶ ଥାଉ କି ପ୍ରସ୍ତାବିତ ଜୁନାଗଡ – ନବରଙ୍ଗପୁର ,ନବରଙ୍ଗପୁର – ଜୟପୁର ଏବଂ ମାଲକାନଗିରି – ଭଦ୍ରାଚଳମ ମୋଟ ୪୬୦ କିମି ସ୍ୱାଧୀନ ଭାରତର ଦ୍ୱିତୀୟ ବୃହତ୍ତମ ରେଳପଥ ପ୍ରକଳ୍ପ ଅଟେ। ମାନ୍ୟବର ବିଧାୟକ ନବରଂଗପୁର ନିଜ ବକ୍ତବ୍ୟରେ ଜିଲ୍ଲାର ବିକାଶ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଉଛି ଏବଂ ଏହି ରେଳ ପ୍ରକଳ୍ପ ଶୀଘ୍ର ନିର୍ମାଣ ହେଲେ ଜିଲ୍ଲାବାସୀ ଙ୍କ ଆର୍ଥିକ ଅଭିବୃଦ୍ଧି ରେ ବିଶେଷ ସହାୟକ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜମି ହରାଇ କ୍ଷତି ପୂରଣ ପାଇଥିବା ବ୍ୟକ୍ତି, ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ, ତହସିଲଦାର ନନ୍ଦାହାଣ୍ଡି ଚନ୍ଦ୍ରହାସ ମହାନନ୍ଦିଆ,ତହସିଲଦାର ନବରଙ୍ଗପୁର ଭୋଳେଶ୍ବର ନାୟକ,ବି ଡି ଓ ନବରଙ୍ଗପୁର ସୁନିଲ ଖରା, ଡି ଆଇ ପି ଆର୍ ଓ ମନୋଜ ବେହେରା ଙ୍କ ସମେତ ଅନେକ ହିତାଧିକାରୀ, ବୁଦ୍ଧିଜୀବି, ସ୍ଥାନୀୟ ଜନ ସାଧାରଣ,ଛାତ୍ର, ଛାତ୍ରୀ,ତହସିଲ କାର୍ଯ୍ୟାଳୟ କର୍ମଚାରୀ,ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

