କେନ୍ଦୁଝର:25//6,(ଉତ୍କଳ ସମାଚାର):କେନ୍ଦୁଝର ଦରବାର ହଳଠାରେ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୀତି ଆୟୋଗଙ୍କ ‘ଚାମ୍ପିଅନ୍ସ ଅଫ୍ ଚେଞ୍ଜ’ ଅଭିଯାନ ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ସମସ୍ତ ଆକାଂକ୍ଷୀ ବ୍ଲକଗୁଡ଼ିକର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଏହି ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା, କୃଷି ଓ ଆନୁଷଙ୍ଗିକ ସେବା, ମୌଳିକ ଭିତ୍ତିଭୂମି ଏବଂ ସାମାଜିକ ବିକାଶ ଭଳି କ୍ଷେତ୍ରଗୁଡ଼ିକରେ ବ୍ଲକସ୍ତରୀୟ ପ୍ରଗତିର ସମୀକ୍ଷା କରାଯାଇଥିଲା। ଆକାଂକ୍ଷୀ ବ୍ଲକଗୁଡ଼ିକରେ କିପରି ସରକାରୀ ଯୋଜନାକୁ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରାଯାଇପାରିବ ଏବଂ ସାଧାରଣ ଜନତାଙ୍କ ପାଖରେ ସେବା ପହଞ୍ଚାଇ ହେବ, ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ପ୍ରଥମେ ତାମିଲନାଡୁର ତିରୁଭଲୁର ଜିଲ୍ଲାରେ ଏକ ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହେବା ଫଳରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପାଇଁ ଶୋକ ପ୍ରକାଶ କରିଥିଲେ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତେଲକୋଇ ଅଞ୍ଚଳର ୬ ଜଣ ଜୁଆଙ୍ଗ ସମ୍ପ୍ରଦାୟର ଶ୍ରମିକ ଥିବାରୁ ସେ ଗଭୀର ଦୁଃଖ ପ୍ରକାଶ କରିଥିଲେ।ବିକାଶ ସମ୍ପର୍କରେ ମତ ରଖି ଡାକ୍ତର ନାଏକ କହିଥିଲେ ଯେ, କେବଳ କାଗଜପତ୍ରରେ କାର୍ଯ୍ୟ ସୀମିତ ନ ରଖି ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କଲେ ହିଁ ବିକାଶ ସାର୍ଥକ ହେବ। ସହରରେ ମିଳୁଥିବା ମୌଳିକ ସୁବିଧାଗୁଡ଼ିକ ଯେପରି ଗାଁ ଗହଳି ଓ ବ୍ଲକ ସ୍ତରରେ ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିବ, ତାହା ହିଁ ଆମର ଲକ୍ଷ୍ୟ ରହିବା ଉଚିତ । କୃଷକ, ଯୁବ ଗୋଷ୍ଠୀ ଓ ନାରୀ ଶକ୍ତିର ସହଯୋଗରେ ହିଁ ଗାଁର ବିକାଶ ସମ୍ଭବ, ଯାହା ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ “ପଛୁଆ ଅଞ୍ଚଳ ବୋଲି ନ କହି ‘ଆକାଂକ୍ଷୀ’ ଅଞ୍ଚଳ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ। ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସରକାରୀ ସୁବିଧାଗୁଡ଼ିକର ଶତପ୍ରତିଶତ ସଫଳତା ଆଣିବା ଆମର ମୁଖ୍ୟ ଲକ୍ଷ୍ୟ। ସରକାରୀ ଯୋଜନାଗୁଡ଼ିକର ସଠିକ୍ ସମୟରେ ‘ଫଲୋ-ଅପ୍’ କରା ନ ଗଲେ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ସମୟ ଲାଗିବ। ତେଣୁ ସମସ୍ତ ବିଭାଗ ମିଳିତ ଭାବେ ଉପଲବ୍ଧ ପାଣ୍ଠିର ଉଚିତ ବିନିଯୋଗ କଲେ ଆଗାମୀ ୩ ବର୍ଷ ମଧ୍ୟରେ ସମସ୍ତ ନିର୍ଦ୍ଧାରିତ ‘ପାରାମିଟର’ ବା ମାନଦଣ୍ଡଗୁଡ଼ିକୁ ସଫଳତାର ସହ ପୂରଣ କରାଯାଇ ପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସୋମନାଥ ଦାସ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ବିବେକାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ବରିଷ୍ଠ ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶାକର୍ମୀମାନେ ଯୋଗଦେଇ ନିଜ ନିଜ କ୍ଷେତ୍ରରେ କିଭଳି ଅଧିକ ସଫଳତା ହାସଲ କରାଯାଇପାରିବ, ସେ ନେଇ ପରାମର୍ଶ ଗ୍ରହଣ କରିଥିଲେ।

