ରାଉରକେଲା:30//6,(ଉତ୍କଳ ସମାଚାର)ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ସେକ୍ଟର-୫ ସ୍ଥିତ RLC କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ଗଣବିକ୍ଷୋଭରେ ଶତାଧିକ କର୍ମଚାରୀ ଭାଇଭଉଣୀଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଓ ସମର୍ଥନ କର୍ମଚାରୀମାନଙ୍କ ଆକ୍ରୋଶ ଓ ଏକତାକୁ ସ୍ପଷ୍ଟ ଭାବେ ପ୍ରତିଫଳିତ କରିଛି।RLCଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅଗଣତାନ୍ତ୍ରିକ ଓ ଏକପାଖିଆ ଭାବେ କର୍ମଚାରୀମାନଙ୍କୁ ମନମୁଖୀ ବଦଳି କରୁଥିବାର ବିରୋଧରେ ଏହି ଗଣବିକ୍ଷୋଭ ଆୟୋଜିତ ହୋଇଥିଲା।ଗୋଟିଏ LOPରୁ ଅନ୍ୟ ଗୋଟିଏ LOPକୁ ବଦଳି କରିବାର କୌଣସି ନିୟମ ନଥିବା ସତ୍ତ୍ୱେ, ୨୪-୦୯-୨୦୨୫ ତାରିଖରେ କର୍ତ୍ତୃପକ୍ଷ ବିଭିନ୍ନ ବିଭାଗରୁ ୧୮ ଜଣ କର୍ମଚାରୀଙ୍କୁ SMS-II ବିଭାଗକୁ ବଦଳି କରିଥିଲେ। ଏହାର ପ୍ରତିବାଦରେ ୨୫-୦୯-୨୦୨୫ ତାରିଖରେ ରାଉରକେଲା ଶ୍ରମିକ ସଂଘ ଔଦ୍ୟୋଗିକ ବିବାଦ ଆଇନ ଅନୁଯାୟୀ RLCଙ୍କ ନିକଟରେ ଏକ ମାମଲା ଦାଖଲ କରିଥିଲା Id no- 300150228 (Reference No. RSS/10/2025/74)।ଉକ୍ତ ମାମଲାର କନସିଲିଏସନ୍ ପ୍ରକ୍ରିୟା ଚାଲିଥିବା ସମୟରେ, ୦୯-୦୫-୨୦୨୬ ତାରିଖରେ କର୍ତ୍ତୃପକ୍ଷ ପୁଣିଥରେ ୩୫ ଜଣ କର୍ମଚାରୀଙ୍କୁ ଟାଉନ୍ସିପ୍ରୁ ପ୍ଲାଣ୍ଟ ଏବଂ ପ୍ଲାଣ୍ଟରୁ ଟାଉନ୍ସିପ୍କୁ ବଦଳି କରିଥିଲେ। ଏହି ବିଷୟରେ ସଂଘ RLCଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ, RLC ୧୨-୫-୨୦୨୬ ରେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ତଥାପି, ୦୨-୦୬-୨୦୨୬ ତାରିଖରେ ପୁଣି ୩୦ ଜଣ କର୍ମଚାରୀଙ୍କୁ ପ୍ଲାଣ୍ଟକୁ ଏବଂ ୩୦ ଜଣ କର୍ମଚାରୀଙ୍କୁ ଟାଉନ୍ସିପ୍କୁ ବଦଳି କରାଯାଇଥିଲା। RLCଙ୍କୁ ଏହି ବିଷୟରେ ସଂଘ ଅବଗତ କରାଇବା ପରେ, RLC ଉଭୟ ପକ୍ଷଙ୍କୁ ୦୮-୦୬-୨୦୨୬ ତାରିଖରେ କନସିଲିଏସନ୍ ପାଇଁ ଡାକିଥିଲେ।ଏହି ବୈଠକରେ ମ୍ୟାନେଜମେଣ୍ଟ ପକ୍ଷରୁ GM (HR) ଏବଂ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ଦସ୍ତଖତ କରି ସ୍ଥିତାବସ୍ଥା ବଜାୟ ରଖିବାକୁ ସହମତି ପ୍ରକାଶ କରିଥିଲେ। ପରବର୍ତ୍ତୀ କନସିଲିଏସନ୍ ବୈଠକ ୩୦-୦୬-୨୦୨୬ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା।କିନ୍ତୁ, ଏହା ପୂର୍ବରୁ ହିଁ ୧୦-୦୬-୨୦୨୬ ତାରିଖରେ କର୍ତ୍ତୃପକ୍ଷ ପୂର୍ବରୁ ସ୍ଥଗିତ ରଖାଯାଇଥିବା ସମସ୍ତ ବଦଳି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିଦେଇଥିଲେ।ରାଉରକେଲା ଶ୍ରମିକ ସଂଘ ଏହାକୁ ଏକ ଅନୈତିକ, ଅଗଣତାନ୍ତ୍ରିକ ଏବଂ ଏକଛତ୍ରବାଦୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି। ସଂଘର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା କହିଛନ୍ତି ଯେ, ଏହିପରି ମନମୁଖୀ କାର୍ଯ୍ୟକଳାପ ଆଗାମୀ ଦିନରେ ଯେକୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ ଏବଂ ସେଥିପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଦାୟୀ ରହିବେ।ଏହି ଗଣବିକ୍ଷୋଭକୁ ସଫଳ କରିବାରେ ସଂଘର ଉପସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର, ଚକ୍ରଧର ପ୍ରଧାନ, ଉପସଭାପତି ଆର୍ କେ ପଣ୍ଡା, ଅକ୍ଷୟ ଜେନା,ସୁଦାନ ଚୌଧୁରୀ , ନିହାର ଦାସ, ସତ୍ୟ ସାହୁ, ସୁରେଶ ପାଣିଗ୍ରାହୀ, ସୁରେଶ କିଶାନ, ମନୋଜ କିଶାନ, ଦୁଶାସନ ନାୟକ, ବିକାଶ ବେହୁରିଆ, ସୌମ୍ୟ ଧଳ, ପଦ୍ମାଳୟା ଧର, ରଘୁନାଥ ପ୍ରଧାନ, ପ୍ରଫୁଲ୍ଲ ଦାସ, ସରୋଜ ଦାସ, ସରୋଜ ମିଶ୍ର, ବିଶ୍ବ ମୋହନ ପୁହାଣ , ସୁଜିତ ନାୟକ, ବିନୋଦ ତନ୍ତୀ, ମନମୋହନ ବେହେରା,ଅଖିଳ ପୃଷ୍ଟି,ପି କେ ସାହୁ, ଦିଲୀପ ମଲ୍ଲିକ ,ତୁଷାର ସାହୁ, ବ୍ରହ୍ମାନନ୍ଦ ବେହେରା, ଦିପକ ଦେ, ବନ୍ଧୁ ଲାକ୍ରା,କେ ସି ଆଚାର୍ଯ୍ୟ ,ଟି ଏସ୍ ମଧୁସୂଦନ ,ଲିଟୁ ମାନସିଂ, ପ୍ରଶାନ୍ତ ନାୟକ,ସୁଧାଂଶୁ ଖୁଣ୍ଟିଆ , ସୁକାନ୍ତ କୁମାର ନାୟକ,ଆର୍ ରାଜୀବ, ମନୋଜ ପଟ୍ଟନାୟକ,ସଂଜିତ ମଲ୍ଲିକ, ଅଗ୍ନି ଗୋଛୟତ ପ୍ରମୁଖ ସହଯୋଗ କରିଥିଲେ

