ସମ୍ବଲପୁର,୦୮/୦୭(ଉତ୍କଳ ସମାଚାର),(ସରୋଜ ସାହୁ):ସର୍ବପୁରାତନ ଶତାୟୁ ଖବର କାଗଜ ଦୈନିକ “ସମାଜ” ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ର ରେଙ୍ଗାଲି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ସୃଜନଶୀଳ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ଷା ର ପ୍ରତିବନ୍ଧକ କୁ ଖାତିର ନକରି ବ୍ଳକର ବିଭିନ୍ନ ସ୍କୁଲର ୭୬ଜଣ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କୁଇଜ୍ ପ୍ରତିଯୋଗିତାରେ ୪୩ ଜଣ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ୩୩ଜଣ ଅଂଶଗ୍ରହଣ କରିଥିଲେ। କୁଇଜ୍ ପ୍ରତିଯୋଗିତା ରେ ନୁଆ ରମ୍ପେଲା ହାଇସ୍କୁଲର ଶାନ୍ତାରାମ ସରାଫ ପ୍ରଥମ, ଆଦର୍ଶ ବିଦ୍ୟାଳୟ ରେଙ୍ଗାଲିର ରାଜଲକ୍ଷ୍ମୀ ମହାପାତ୍ର ଦ୍ବିତୀୟ, ଝାଙ୍କରପାଲି ସି.କେ.ଜି ହାଇସ୍କୁଲର ପରିଧି ଚନ୍ଦେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ରେଙ୍ଗାଲି ସରସ୍ଵତୀ ବିଦ୍ୟାମନ୍ଦିରର ସୋହମ୍ ଛତର, ନିତେଶ ଗୌଡ ଏବଂ ଶ୍ରୀତମ ସୂତାର ଯଥାକ୍ରମେ ପ୍ରଥମ, ଦ୍ବିତିୟ, ତୃତୀୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ସହ ପୁରସ୍କୃତ ହୋଇଥିଲେ। ଏହି ପ୍ରତିଯୋଗିତା ଶେଷରେ “ସମାଜ” ରେଙ୍ଗାଲି ବ୍ଲକ ପ୍ରତିନିଧି ସାମ୍ବାଦିକ ହରିହର ନାଥଙ୍କ ସଭାପତିତ୍ବରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ସାରସ୍ଵତ ସାଧକ ତଥା ଗବେଷକ ଡକ୍ଟର ଗୌରୀଦାସ ପଧାନ ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ଗୋପବନ୍ଧୁଙ୍କ ଜୀବନ ଦର୍ଶନ, ସୃଜନଶୀଳତା, ସମାଜସେବା ଆଦି ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ କରୁଣାକର ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସ୍ବାଧୀନ ଏକତା ସଙ୍ଗଠନ ଓ ଶିଶୁ ବିଦ୍ୟାମନ୍ଦିରର ସଭାପତି ରାଜୀବ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହିଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ଅର୍ଥ ରାଶି ସହ ପୁରସ୍କୃତ କରାଯାଇଥିଲା। ଦୈନିକ “ସମାଜ” ସର୍ଗିପାଲିର ବିତରକ ପରଦେଶୀ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ। ଚିତ୍ରାଙ୍କନ ବିଶାରଦ ବିଶ୍ଵାମିତ୍ର ଧୁରୁଆ, ଅଧ୍ୟାପକ ଅଜୟ କୁମାର ସାହୁ, ଶିକ୍ଷକ ହିମାଂଶୁ ଶେଖର ସାହୁ, ଅନିଲ କୁମାର ସାହୁ, ବସନ୍ତ ରାଉତ ବିଚାରକ ରୂପେ ଯୋଗଦେଇ ପରୀକ୍ଷା ଖାତା ମୂଲ୍ୟାୟନ କରିଥିଲେ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ମଞାସୀନ ଥିଲେ। ପ୍ରତିଯୋଗିତା ଆୟୋଜନରେ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ସରୋଜ ବିଶୋଇ,ପ୍ରଧାନ ଆଚାର୍ଯ୍ୟ କରୁଣାକର ପାତ୍ର, ମୋନାଲିସା ପଟେଲ, ଆଶିଷ କର୍ଣାଲ , କ୍ଷୀରୋଦ କୁମାର କଲେତ,ନିରଞ୍ଜନ ମହପାତ୍ର, ନିର୍ମଳ ମୁଣ୍ଡା ସାମ୍ବାଦିକ ନରେଶ ମାହାଣା, ଦେବବ୍ରତ ପଣ୍ଡା ସକ୍ରୀୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ଧୂପଦୀପ, ପ୍ରଜ୍ୱଳନ କରାଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା।

