ରାଉରକେଲା ୮/୭,(ଉତ୍କଳ ସମାଚାର) ଆଜି ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ – ୭୦ ଗ୍ରାମର ବାସିନ୍ଦାମାନଙ୍କ ପକ୍ଷରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତିବାଦ ସମୟରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା ଏବଂ ବିସ୍ଥାପିତ ସଂଘ ନେତା ଖାଡା କୁଜୁରଙ୍କ ନେତୃତ୍ୱରେ, ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୁରୁଣା ଦାବିକୁ ପୁନରାବୃତ୍ତି କରି ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୨୦୧୩ ଫେବୃୟାରୀ ୮ ତାରିଖ ଦିନ ୫ମ ଆରପିଡିଏସି ବୈଠକରେ ବିସ୍ଥାପିତ ବଢତି ପରିବାରର ସଦସ୍ଯମାନଙ୍କୁ ୩ ମାସ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି ଦେବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଥିଲା। କିନ୍ତୁ ଦୀର୍ଘ ୬ ବର୍ଷ ମଧ୍ୟରେ ଏହି ପ୍ରସ୍ତାବ କାର୍ଯ୍ଯକାରୀ ହୋଇପାରି ନଥିଲା। ତେଣୁ ୨୦୧୯ ଷଷ୍ଠ ଆରପିଡିଏସି ବୈଠକ ପାନପୋଷ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ବିସ୍ଥାପିତ ବଢତି ପରିବାରର ୧୦୯୮ ଜଣଙ୍କୁ ଚାକିରି ଦେବା ପାଇଁ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ବୋର୍ଡରେ ପାରିତ କରି ଅଧିକରୁ ଅଧିକ ଚାକିରି ଦେବା ପାଇଁ ତତ୍କାଳୀନ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଉରକେଲା ଇସ୍ପାତ କାରଖାନା କତ୍ତୃପକ୍ଷ ସେହି ନିର୍ଦ୍ଦେଶକୁ କାର୍ଯ୍ଯକାରୀ କରି ନାହାଁନ୍ତି। ଏଥିସହିତ ସପ୍ତମ ଆରପିଡିଏସି ବୈଠକ କେବେ କରାଯିବ, ତାହାର ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ, ଜଣେ ବିଭାଗୀୟ ଅଧିକାରୀଙ୍କୁ ରାଉରକେଲା ସ୍ଥାନୀୟ ବିସ୍ଥାପିତ ସଂଘ – ୭୦ ଗ୍ରାମର ବାସିନ୍ଦାମାନଙ୍କ ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିସହିତ ଯଦି ୧୫ ଦିନ ମଧ୍ୟରେ ଏହି ମାମଲାର ଶୁଣାଣି ନ ହୁଏ ତେବେ ବିସ୍ଥାପିତ ସଂଘ ପକ୍ଷରୁ ତୀବ୍ର ପ୍ରତିବାଦର ଚେତାବନୀ ଦିଆଯାଇଛି।

