ରାଉରକେଲା ୮/୭,(ଉତ୍କଳ ସମାଚାର) ବେପରୁଆ ଗାଡି ଚାଳନା ଯୋଗୁଁ ରାଉରକେଲା ଇସ୍ପାତ କାରଖାନା ଏଚ୍ଏସ୍ଏମ୍-୨ ବିଭାଗରେ କାର୍ଯ୍ଯରତ ଜଣେ ଜୁନିୟର ଇଞ୍ଜିନିୟର ଲିଓନାର୍ଡ ଲାକ୍ରା (୨୭ ବର୍ଷ)ଙ୍କ ରାଉରକେଲା ଇସ୍ପାତ କାରଖାନାର ତରକେରା ଏନ୍ଏଚ୍-୧୪୩ର ସ୍ଲାଗ୍ ଗେଟ୍ ଠାରେ ମୃତ୍ୟୁ ଘଟିଛି। ଲିଓନାର୍ଡ ଲାକ୍ରା ତାଙ୍କ ମୋଟରସାଇକେଲ ଯୋଗେ ଏ-ସିଫ୍ଟ ଡ୍ଯୁଟିକୁ ଆସୁଥିବା ବେଳେ, ତାଙ୍କୁ ଏକ ଆଇରନ୍ ବୋଝେଇ ଟ୍ରକ ସକାଳ ୫ଟା ୪୫ ସମୟରେ ପଛ ପଟୁ ଧକ୍କା ଦେଇଥିଲା। ସୂଚନା ଅନୁସାରେ ଆଜି ସକାଳ ୫ଟା ୩୦ ସମୟରେ ରାଉରକେଲା ରଘୁନାଥପାଲ୍ଲୀ ଥାନା ଅନ୍ତର୍ଗତ ଜଲଦା ସି ବ୍ଲକରେ ରହୁଥିବା ଲିଓନାର୍ଡ ଲାକ୍ରା (୨୭) ନିଜର ହିରୋ ଆଇ-ସ୍ମାର୍ଟ (ରେଜିଷ୍ଟ୍ରେସନ୍ ନଂ ଓଡି ୧୪ଜେ ୦୭୭୬) ମୋଟରସାଇକେଲରେ ରାଉରକେଲା ଇସ୍ପାତ କାରଖାନାର ଏ-ସିଫ୍ଟ ଡ୍ଯୁଟିକୁ ଆସୁଥିଲେ। ସକାଳ ୫ଟା ୪୫ରେ ଏନ୍ଏଚ୍ – ୧୪୩ର ତରକେରା ସ୍ଲାଗ୍ ଗେଟ୍ ଠାରେ ଏକ ଆଇରନ୍ ବୋଝେଇ ଟ୍ରକ ଯାହାର ରେଜିଷ୍ଟ୍ରେସନ୍ ନମ୍ବର ସିଜି ୧୫ ଇସି-୮୨୨୨, ଲିଓନାର୍ଡ ଲାକ୍ରାଙ୍କୁ ପଛପଟରୁ ଧକ୍କା ଦେଇଥିଲା। ଫଳରେ ଲିଓନାର୍ଡ ଲାକ୍ରା ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)କୁ ନିଆଯାଇଥିଲା। ସେଠାରେ ଡାକ୍ତର ଲିଓନାର୍ଡ ଲାକ୍ରାଙ୍କୁ ମୃତ ଘୋଷଣା କରିଥିଲେ। ଆଇରନ୍ ବୋଝେଇ ଟ୍ରକକୁ ରାଉରକେଲା ରଘୁନାଥପାଲ୍ଲୀ ପୋଲିସ୍ ପକ୍ଷରୁ ଜବତ୍ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି । ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ମୃତ ଲିଓନାର୍ଡ ଲାକ୍ରାଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି।

