ରାଉରକେଲା ୮/୭,(ଉତ୍କଳ ସମାଚାର) ଆଜି ସକାଳେ ପ୍ଲାଣ୍ଟସାଇଟ୍ ଥାନାର ଏସ୍ଆଇ ସିଦ୍ଧାର୍ଥ ପ୍ରଧାନ ଥାନା ପୁଲିସ କର୍ମଚାରୀଙ୍କ ସହିତ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ରାଉରକେଲାର ଟ୍ରାଫିକ୍ ଗେଟ୍ ସ୍ଥିତ ଚାରି ଚକିଆ ପାର୍କିଂରେ ଏକ ଅବକାରୀ (NDPS) ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ମହମ୍ମଦ ଆଫତାବ ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରମାନଙ୍କ ସମେତ ନିରୀହ ଲୋକଙ୍କୁ ନିଜର ଆର୍ଥିକ ଲାଭ ପାଇଁ ବିକ୍ରୟ କରିବା ଉଦ୍ଦେଶ୍ୟରେ ବ୍ରାଉନ ସୁଗାର ଅର୍ଥାତ୍ ନିଷେଧିତ ହେରୋଇନ୍ ନିଜ ପାଖରେ ରଖି ବିକ୍ରୟ କରିବା ପାଇଁ ନେଉଥିଲେ। ପୁଲିସ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହିତ ୧୮ ଗ୍ରାମ୍ ହେରୋଇନ୍ ଜବତ କରାଯାଇଛି। ଅଭିଯୁକ୍ତ ହେଲେ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଧିନସ୍ଥ ଗୋପବନ୍ଧୁପାଲ୍ଲି ଓ୍ବାର୍ଡ ନମ୍ବର-୪ର ଏମଡି ଅଫତାବ (ବୟସ ୩୧ ବର୍ଷ)। ଅଭିଯୁକ୍ତ ଏମଡି ଅଫତାଭଙ୍କ ନିକଟରୁ ମୋଟ ୧୮ ଗ୍ରାମ ଚୋରା ହେରୋଇନ୍ ଜବତ କରାଯିବା ସହ ଗୋଟିଏ ହିରୋ କୀପ୍ୟାଡ୍ ମୋବାଇଲ୍ ଫୋନ୍, ଗୋଟିଏ ଟିଭିଏସ୍ ଜୁପିଟର ସ୍କୁଟି ଯାହାର ପଞ୍ଜିକରଣ ନମ୍ବର OD-୧୪S-୮୯୧୮କୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ବିରୋଧରେ ପୂର୍ବରୁ ପ୍ଲାଣ୍ଟସାଇଟ୍ ଥାନାରେ ୪ଟି ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ଏମଡି ଅଫତାଭ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନା କେସ୍ ନମ୍ବର-୭୦୭/ତା୦୮-୭-୨୦୨୬ରିଖରେ ଏକ ମାମଲା ରୁଜୁ କରାଯିବା ସହ ୨୧(ବି)/୨୫ ଏନଡିପିଏସ୍ ଧାରାରେ କୋର୍ଟ ଚାଲାଣ କରାଯାଇଛି।

