ରାଉରକେଲା ୯/୭,(ଉତ୍କଳ ସମାଚାର) ପାଓ୍ବାର ପ୍ଲାଣ୍ଟରୁ ବାହାରୁଥିବା ଚାରକୁଲ (ବିଷାକ୍ତ ପାଉଁଶ) ନଦୀ କୂଳରେ ଗଦା କଲେ, ସେହି ପାଉଁଶ ନିକଟରେ ଥିବା ଚାଷ ଜମିକୁ ଚାଷ ଅନୁପୋଯୋଗୀ କରିବା ସହିତ ନଦୀ ଜଳକୁ ମଧ୍ଯ ପ୍ରଦ୍ଯୁଷଣ ଜନିତ ବିଷାକ୍ତ କରିଥାଏ। ଏହା ଜାଣି ମଧ୍ୟ ବ୍ରାହ୍ମଣୀତରଙ୍ଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ତଥା କୋଏଲ ନଦୀ ଠାରୁ ମାତ୍ର ୧୦୦/୧୫୦ ମିଟର ଦୂରରେ ମାଳ ମାଳ ହାଇଓ୍ବା ଢାଳୁଛନ୍ତି ଚାରକୁଲ ପାଉଁଶ। ସୂଚନା ଅନୁସାରେ, ବ୍ରାହ୍ମଣୀତରଙ୍ଗ ଥାନା ଠାରୁ ମାତ୍ର ୫୦୦ମିଟର ଦୂରରେ ଥିବା ଶଙ୍ଖ ନଦୀ ଉପରେ ବେଦବ୍ୟାସରୁ ରାଞ୍ଚି ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ମାଳ ମାଳ ହାଇୱା ଢାଳୁଛନ୍ତି ଚାରକୁଲ ପାଉଁଶ। ଏହି ଚାରକୁଲ ପାଉଁଶ ନଦୀ ଜଳରେ ମିଶିବା ସହିତ ପବନରେ ଉଡି ଉଡି ଯାଉଛି ଜନବସତି ଅଞ୍ଚଳକୁ। ଚାଷ ଜମି ନଷ୍ଟ ହେଉଛି। ରାଉରକେଲା ରାଜ୍ୟ ଆଞ୍ଚଳିକ ପ୍ରଦ୍ଯୁଷଣ ନିୟନ୍ତ୍ରଣ ବୋର୍ଡ ଏହା ଜାଣି ମଧ୍ୟ ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳୁଛି ବୋଲି ଅଭିଯୋଗ ହୋଇଛି। ପାଓ୍ବାର ପ୍ଲାଣ୍ଟରେ ବିଦ୍ଯୁତ୍ ଉତ୍ପାଦନ ପାଇଁ ହେଉଥିବା କୋଇଲାର ବ୍ଯବହାର ପରେ, ସେଥିରୁ ବାହାରୁଥିବା ଚାରକୁଲ ପାଉଁଶ ବେଦବ୍ଯାସର ସୁନୟନା ମେଟାଲିକ୍ସ ପାଖରେ ହାଇଓ୍ବା ଦ୍ବାରା ଗଦାକରାଯାଉଥିବାରୁ ତାହା ଉଡ଼ି ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ଅଣ ବିଶ୍ୱାସୀ କରି ଦେଉଥିଲା ବେଳେ, ଏହି ମୁଖ୍ୟ ରାସ୍ତା ଦେଇ ଯାଉଥିବା ପୋଲିସ, ପ୍ରଶାସନିକ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ମଚାରୀ, ପରିବହନ ବିଭାଗ କର୍ମଚାରୀ ମହାନଗର ନିଗମ କର୍ମଚାରୀ, ଏପରିକି କିଛିଦିନ ପୂର୍ବେ କୁଆଁରମୁଣ୍ଡା ବ୍ଲକରେ ହେଉଥିବା ଜନ ଅଭିଯୋଗ ଶୁଣାଣିକୁ ଯାଉଥିବା ପ୍ରତ୍ଯେକ ଅଧିକାରୀଙ୍କ ଦୃଷ୍ଟିକୁ ଆସିଥିବା ବେଳେ, ଏହା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା ମଧ୍ୟ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି। ଜନବସତି ଅଞ୍ଚଳରେ ପାଓ୍ବାର ପ୍ଲାଣ୍ଟରୁ ବାହାରୁଥିବା ଏହି କଳା ପାଉଁଶକୁ ପକାଇ ପାଣି, ପବନ ଏବଂ ପରିବେଶକୁ ପ୍ରଦ୍ଯୁଷିତ ଓ କଳୁଷିତ କରାଯାଉଛି। କିଛି ଦଲାଲମାନଙ୍କ ମାଧ୍ୟମରେ ଦିନ ରାତି ହାଇୱା ଟ୍ରକରେ ଚାରକୁଲ ପାଉଁଶ ପକାଇ କୃତ୍ରିମ ପାହାଡ ସୃଷ୍ଟି କରାଯାଉଛି। ଏଥିରେ ଜନପ୍ରତିନିଧି ଜନତାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି। ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହେଉଛି। କଳା ପାଉଁଶର ଚାଦରରେ ଢାଙ୍କି ହୋଇଯାଉଛି ସହର। ସହର ଉପକଣ୍ଠ ଜାତୀୟ ରାଜପଥ-୧୪୩ କଡରେ ଗଦା ହୋଇଛି ଚାରକୁଲ ପାଉଁଶ ଜମି ମାଫିଆ ହେଉଛନ୍ତି ମାଲେମାଲ୍ ରୁଗ୍ଣ ହେଉଛି ସହର। ଏହି ପାଉଁଶ ପାହାଡ ଧୋଇହୋଇ ୧୦୦/୧୫୦ ମିଟର ପାଖରେ ଥିବା ବ୍ରାହ୍ମଣୀ ନଦୀରେ ସିଧା ସଳଖ ଭାବେ ମିଶିଯାଉଛି। ଏଥିରେ ଜଳଚର ପ୍ରାଣୀ ଯେତିକି ଆକ୍ରାନ୍ତ ହେଉଛନ୍ତି, ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହେଉଛି ସେତିକି। ତୃଣ ଉପରେ ପଡ଼ିଥିବା ବିଷାକ୍ତ ଚାରକୁଲ ପାଉଁଶ ମିଶା ତୃଣକୁ ପଶୁ ଓ ପକ୍ଷୀ ଖାଇ ରୋଗ ଗ୍ରସ୍ତ ହୋଇଥାନ୍ତି। ରାଉରକେଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅନୁପ ମଲ୍ଲିକ ସବୁ ଦେଖି ଚୁପ୍ ରହିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି। ଏହି ବିଭାଗରେ କର୍ମଚାରୀଙ୍କ ମରୁଡ଼ି ହୋଇଛି ନା ସବୁ ଟେବୁଲ୍ ତଳର ଖେଳ ! ପ୍ରଦ୍ଯୁଷଣ ନିୟନ୍ତ୍ରଣ ବିଭାଗ କଣ ଅପେକ୍ଷା କରିଛି ଜନସାଧାରଣଙ୍କ ଅଭିଯୋଗକୁ ! ଯିଏ ଅଭିଯୋଗ କରିବ ତା ଜୀବନ ପ୍ରତି ବିପଦ ନ ଆସିବ ବୋଲି କିଏ କହିବ ? ଏଠି ଜୀବନ ଜୀବିକା ବାଜି ଲାଗିଥିବା ବେଳେ, ବିଭାଗ କିନ୍ତୁ ନିଦାବିଷ୍ଣୁ ! “ମୋତେ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ” ଭଳି “କାରଖାନା ମାଲିକ, ଦଲାଲ ଏବଂ ବିଭାଗୀୟ ଅଧିକାରୀ ସବୁ ଏଠି ମାଉସୀ ପୁଅ ଭାଇ ଭାଇ ! ପ୍ରଦ୍ଯୁଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ କେବେ ଏହାଉପରେ ପଦକ୍ଷେପ ଗ୍ରହଣ କରାଯିବ ଦେଖିବାକୁ ବାକି ରହିଲା।

