କେନ୍ଦୁଝର,9//7,(ଉତ୍କଳ ସମାଚାର)କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଆଜି ଷଷ୍ଠ ଜିଲ୍ଲା ପରିଷଦର ଦଶମ ଅଧିବେଶନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସାଗରିକା ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗାଭୂଷଣ ଯୋଗଦେଇ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ପ୍ରଗତିଶୀଳ ପ୍ରକଳ୍ପ ଓ ସରକାରୀ ଜନହିତକର ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିବା ସହ ଏହାର ସଫଳ ରୂପାୟନ ଉପରେ ସବିଶେଷ ସମୀକ୍ଷା କରିଥିଲେ।। ବୈଠକରେ ଜିଲ୍ଲାରେ ଚାଲିଥିବା ଖଣି କାର୍ଯ୍ୟ ଏବଂ ଏହି ବର୍ଷ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ବିବରଣୀ ପ୍ରସ୍ତୁତ କରିବା ଉପରେ ଆଲୋଚନା ହୋଇଥିଲା। ଚାଷୀମାନଙ୍କ ବ୍ୟାପକ ସୁବିଧା ଏବଂ ଚାଷଜମିକୁ ଜଳସେଚନ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ, କୃଷକ ବିକାଶ ଯୋଜନା ଅଧୀନରେ ନୂତନ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା ।ବାସୁଦେବପୁର ଗ୍ରାମରେ ଚାଲିଥିବା କାନୂପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଦ୍ରୁତଗତିରେ ଶେଷ କରିବା ପାଇଁ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।ଜିଲ୍ଲାରେ ବିଭିନ୍ନ ନୂଆ ରାସ୍ତା ଓ ସେତୁ ତିଆରି ପାଇଁ ସରକାରୀ ପାଣ୍ଠିର ସଠିକ୍ ଉପଯୋଗ ଉପରେ ସମୀକ୍ଷା କରାଯାଇଥିଲା।କାଞ୍ଜିଅଶୂଳା-ତୁରୁମୁଙ୍ଗା ରାସ୍ତାର ନେଉଳଯୋଡି ନାଳ ଉପରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଏବଂ ଘଟଗାଁ ଅଞ୍ଚଳରେ କେତେକ ନୂଆ ଉନ୍ନୟନମୂଳକ କାମ ପାଇଁ ସରକାରୀ ପାଣ୍ଠି ଓ ମଞ୍ଜୁରୀ ମିଳିବା ସମ୍ପର୍କରେ ଆଲୋଚନା ହୋଇଥିଲା।ଗ୍ରାମଗୁଡ଼ିକରେ ନଳକୂପ, ପାଇପ୍ ପ୍ରକଳ୍ପ ଏବଂ ସୋଲାର ସିଷ୍ଟମ୍ ମାଧ୍ୟମରେ ପାନୀୟ ଜଳ ଯୋଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏହାସହ ଅନେକ ଗ୍ରାମକୁ “ହର ଘର ଜଲ” ଗ୍ରାମ ଭାବେ ଘୋଷଣା କରିବାକୁ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।ଦୁର୍ଗମ ଅଞ୍ଚଳରେ ମାତୃ ମୃତ୍ୟୁହାର କମାଇବା ଏବଂ ରୋଗୀଙ୍କୁ ମେଡିକାଲ ଆଣିବା ପାଇଁ ‘ବାଇକ ଆମ୍ବୁଲାନ୍ସ’ ସେବାକୁ ଅଧିକ ସକ୍ରିୟ, ଜିଲ୍ଲାର ପ୍ରମୁଖ ଘରୋଇ ମେଡିକାଲଗୁଡ଼ିକୁ ‘ଆୟୁଷ୍ମାନ ଭାରତ’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ରେ ସାମିଲ କରାଯାଇ ଲୋକଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଏବଂ କିଡନୀ ରୋଗୀଙ୍କ ପାଇଁ ବଡ଼ବିଲ, ଆନନ୍ଦପୁର ଏବଂ ଚମ୍ପୁଆ ମେଡିକାଲରେ ନୂଆ ଡାଏଲିସିସ ମେସିନ୍ ସବୁ ଚାଲୁ ରଖିବା ପାଇଁ ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ରହିବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଏବଂ ‘ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା’ରେ ଖାଦ୍ୟଶସ୍ୟ ଓ ରନ୍ଧନ ଖର୍ଚ୍ଚ ଯୋଗାଇ ଦିଆଯାଉଛି। ହାଇସ୍କୁଲ ପରୀକ୍ଷା ଫଳାଫଳ ଉତ୍ସାହଜନକ ରହିଛି ଏବଂ ନୂତନ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ସ୍ଥାପନ ପାଇଁ ମଞ୍ଜୁରୀ ମିଳିଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଜୁଆଙ୍ଗ, ହୋ ଏବଂ ସାନ୍ତାଳି ଭାଷାରେ ବହୁଭାଷୀ ଶିକ୍ଷକଙ୍କ ଦ୍ୱାରା ଶି ପ୍ରଦାନ କରାଯାଉଛି। ଏହା ସହିତ ଏକ ‘ଟ୍ରାଇବାଲ ରିସୋର୍ସ ସେଣ୍ଟର’ ମଧ୍ୟ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରାଯାଇଛି।ବୈଠକ ଶେଷରେ ଜିଲ୍ଲାପାଳ ଶ୍ରୀ ସିଂହ ଜିଲ୍ଲାର ପ୍ରଗତି ତଥା ସମସ୍ତ ଜନହିତକର ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ବିଭିନ୍ନ ବିଭାଗର ଅଧିକାରୀ, ଜିଲ୍ଲାପରିଷଦ ର ସଦସ୍ୟ ଏବଂ ପାଞ୍ଚୟତ ସମିତିର ଅଧ୍ୟକ୍ଷ,ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ।
