ନବରଙ୍ଗପୁର:10//7,(ଉତ୍କଳ ସମାଚାର) ନରସିଂବାଘ ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଗ୍ରାମର ଭାଗୀ ସେଠିଙ୍କ ଚାଷ ଜମିରେ ଆଜି ସକାଳୁ କାମ ଚାଲିଥିବା ସମୟରେ ହଠାତ୍ ଏକ ଛୋଟ କୁମ୍ଭୀର ଛୁଆ ଉପରେ ନଜର ପଡ଼ିଥିଲା। ଭାସ୍କେଲ ନଦୀ ନିକଟରେ ଥିବା ଏହି ଜମିରେ ଟ୍ରାକ୍ଟର ଡ୍ରାଇଭର ପ୍ରଥମେ କୁମ୍ଭୀର ଛୁଆଟିକୁ ଦେଖିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ଜମି ମାଲିକ ଭାଗୀ ସେଠିଙ୍କୁ ଖବର ଦେଇଥିଲେ। ସୂଚନା ପାଇବା ପରେ ଭାଗୀ ସେଠିଙ୍କ ପରାମର୍ଶ କ୍ରମେ କୁମ୍ଭୀର ଛୁଆଟିକୁ ସେଠାରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଛୁଆଟିକୁ ନିଜ ହେପାଜତକୁ ନେଇଥିଲେ। ବନ ବିଭାଗ ପକ୍ଷରୁ କୁମ୍ଭୀର ଛୁଆଟିକୁ ସୁରକ୍ଷିତ ଭାବେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇଥିଲା, ଯେଉଁଠାରେ ତାର ପ୍ରାଥମିକ ଚିକିତ୍ସା କରାଯାଇଛି। ସୁସ୍ଥ ହେବା ପରେ ଏହାକୁ ଏକ ନିରାପଦ ଖୋଲା ଜଳାଶୟରେ ଛଡ଼ାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ତେବେ ଏହି ଅଞ୍ଚଳରେ ପୂର୍ବରୁ କେବେ କୁମ୍ଭୀର ଦେଖାଯାଇ ନଥିବାରୁ ସ୍ଥାନୀୟ ଲୋକେ ଏବେ ଆତଙ୍କିତ ଅଛନ୍ତି। ଚାଷ ଜମିରେ ଛୋଟ ଛୁଆଟି ମିଳିଥିବାରୁ, ଆଖପାଖରେ କେଉଁଠି ତାର ମା’ କୁମ୍ଭୀର ମଧ୍ୟ ଥାଇପାରେ ବୋଲି ଲୋକେ ସନ୍ଦେହ କରୁଛନ୍ତି। ଫଳରେ ନଦୀ କୂଳିଆ ଏବଂ ଚାଷ ଜମିକୁ ଯିବା ପାଇଁ ଲୋକେ ଭୟ କରୁଛନ୍ତି ।
