ରାଉରକେଲା ୧୪/୭,(ଉତ୍କଳ ସମାଚାର) ସହରର ରଥଯାତ୍ରାକୁ ନେଇ ଆଜି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିନାଃ ଦସ୍ତଗିର, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ, ରାଉରକେଲା ବନ ବିଭାଗ ଡିଏଫଓ ରବି ମୀନା, ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ଅତିରିକ୍ତ ଏସପି ପ୍ରମୁଖ ଉପସ୍ଥିତ ଥିଲେ।ରାଉରକେଲା ସହର ସମେତ ଇସ୍ପାତ ସହରାଞ୍ଚଳରେ ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରର ରଥଯାତ୍ରା କମିଟିର ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ରଥଯାତ୍ରା କମିଟିର ଅଧିକାରୀମାନେ ପ୍ରଶାସନକୁ ରଥଯାତ୍ରା ସମ୍ପର୍କରେ ନିଜର ପରାମର୍ଶ ଉପରେ କମିଟିର ଅଧିକାରୀମାନେ କହିଥିଲେ ଯେ ସହରର ମୁଖ୍ୟ ରାସ୍ତା ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ତାର ସମେତ କେବୁଲ ତାର, ଟ୍ରାଫିକ୍ ସମସ୍ୟା, ମୁଖ୍ୟ ରାସ୍ତାରେ ସଫାସୁତୁରା, ରିଙ୍ଗ୍ ରୋଡରେ ଗଛ ଓ ଡାଳ କାଟିବା, ଟ୍ରାଫିକ୍ ନିୟନ୍ତ୍ରଣ, ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ସହ ପୋଲିସ କର୍ମଚାରୀ ନିୟୋଜିତ, ପାଣି ବ୍ୟବସ୍ଥା, ବିଦ୍ୟୁତ୍ ବ୍ୟବସ୍ଥା, ସାନିଟାଇଜର ବ୍ୟବସ୍ଥା, ରାସ୍ତାରେ ଥିବା ଗର୍ତ୍ତ ପୂରଣ ଏବଂ ମରାମତି, ଇସ୍ପାତ ସହର ଅଞ୍ଚଳର ରାସ୍ତା ପାର୍ଶ୍ୱରେ ଗଛ ଡାଳ କାଟିବା, ପକେଟମାର ପ୍ରତି ପୋଲିସ ପ୍ରଶାସନ ପକ୍ଷରୁ ବିଶେଷ ଧ୍ୟାନ ଦିଆଯିବା, ରଥଯାତ୍ରା ସମୟରେ ସେକ୍ଟର-୩ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ସେକ୍ଟର-୫ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ନେଇ ଆଲୋଚନା କରାଯାଇଥିଲା। ମାଉସୀ ମା ମନ୍ଦିର ସମେତ ବିଭିନ୍ନ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଆଲୋଚନା କରାଯାଇଥିଲା। ରାଉରକେଲା ଇସ୍ପାତ ସହରର ରଥଯାତ୍ରାରେ ରଥ ବାହାର କରାଯିବ, ଯେଉଁଥିରେ ରାଉରକେଲା ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟର ସମେତ ଝିରପାଣି, କୋଏଲନଗର, ପାନପୋଷ, ହନୁମାନ ବାଟିକା, ପ୍ଲାଣ୍ଟସାଇଟ୍ ରୋଡ, ଛେଣ୍ଡ କଲୋନୀ, ବାସନ୍ତୀ କଲୋନୀ, ରେଲୱେ କଲୋନୀ ସହ ଅନ୍ୟାନ୍ୟ ଅଞ୍ଚଳର ରଥଯାତ୍ରା ଏବଂ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ପଦାଧିକାରୀଙ୍କ କଥା ଶୁଣିବା ପରେ, ରାଉରକେଲା ଆରକ୍ଷୀ ଅଧିକ୍ଷକ, ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସମେତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ସେମାନଙ୍କର ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ବିଶେଷକରି ସେକ୍ଟର ଅଞ୍ଚଳରେ, ରାଉରକେଲା ଇସ୍ପାତ କାରଖାନା ଅଧିକାରୀଙ୍କୁ ପଚାରି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରାଯିବ। ଗଛ ଡାଳ କାଟିବା ପାଇଁ, ରାଉରକେଲା ଡିଏଫଓଙ୍କ ସହିତ ବନ କର୍ମଚାରୀମାନଙ୍କୁ ତାଙ୍କ ସ୍ତରରେ ଏହି ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଏହି ବୈଠକରେ କୁହାଯାଇଥିଲା।


