ରାଉରକେଲା ୧୪/୭,(ଉତ୍କଳ ସମାଚାର)ଆଜି ସକାଳେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସ-ମିଲ ଛକରେ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହିତ ଜଣେ ଯୁବକ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ ରାଉରକେଲା ସରକାରୀରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ଆଜି ସକାଳ ୭ଟା ୫୦ ମିନିଟ ସମୟରେ ଏହି ଦୁଃଖଦ ଘଟଣା ଘଟିଥିଲା। ସୁନ୍ଦରଗଡ ଉସରାରୁ ମୋଟରସାଇକେଲ ଯୋଗେ ମହାବୀର ଫେରୋରେ ହେଲଫର ଭାବେ କାମ କରୁଥିବା ବିଶାଲ ଦେହୁରୀ (୨୪ ବର୍ଷ) ଏବଂ ଆଇଏଫଜିଏଲରେ କାମ କରୁଥିବା ମଞ୍ଜୁଲତା ରାଉତ (୪୪ ବର୍ଷ) କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ସମୟରେ, ରାଉରକେଲାରୁ ସମ୍ବଲପୁର ଯାଇଥିବା ବିଜୁ ଏକ୍ସପ୍ରେସ୍ ଓ୍ବେ ସ-ମିଲ ଛକ ଠାରେ ଏକ ୧୮ଚକିଆ ଟ୍ରକ୍ (ପଞ୍ଜିକରଣ ନମ୍ବର ଓଡି ୦୯ଭି ୧୮୧୧) ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ, ମୋଟରସାଇକେଲ ଚଳାଉଥିବା ବିଶାଲ ଦେହୁରୀ (୨୪) ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ସେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝା ସୁଝା କରିବା ସହିତ ରାସ୍ତା ଅବରୋଧକୁ ହଟାଇଛନ୍ତି। ମହିଳାଙ୍କ ଶବକୁ ଜବତ୍ କରାଯିବା ସହିତ ମୋଟରସାଇକେଲ ଏବଂ ଟ୍ରଲରକକୁ ଜବତ୍ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

