ରାଉରକେଲା ୧୪/୭,(ଉତ୍କଳ ସମାଚାର) ଜାତୀୟ ରାଜପଥ-୧୪୩ (ଏନ୍ଏଚ୍-୧୪୩) ଉପରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ସମୟରେ ଦେଖା ଦେଇଥିବା ଦ୍ବନ୍ଦ ପୁଣି ଥରେ ଉଜ୍ଜିବିତ ହେବାରେ ଲାଗିଛି। ଏନ୍ଏଚ୍-୧୪୩ର ୬ ଲେନ୍ ବିଶିଷ୍ଟ ରାସ୍ତା ସହିତ ଦୁଇଟି ସେତୁକୁ ପରିଶେଷରେ ରୁପୁଟୋଲା ଦେଇ ନେବାକୁ ପଡିବା ସହ ନୂତନ ୨ଟି ସେତୁ ମଧ୍ଯ କାର୍ଯ୍ଯକ୍ଷମ ହୋଇସାରିଛି। ଏନ୍ଏଚ୍-୧୪୩ ବର୍ଦ୍ଧିତ ରାସ୍ତା ପ୍ରକଳ୍ପ ଆରମ୍ଭ ସମୟରେ ଟିସିଆଇ ଛକରୁ ପାନପୋଷ ଛକ ପ୍ରଥମ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇସାରିଥିଲା। କିନ୍ତୁ ପରେ ଏନ୍ଏଚ୍-୧୪୩ ରୂପୁଟୋଲା ଦେଇ ଯିବାରୁ ୬ ଲେନ୍ ରାସ୍ତାକୁ ସେତେବେଳେ ସ୍ଥଗିତ ରଖାଯାଇଥିଲା। ପ୍ରଥମ ବ୍ରାହ୍ମଣୀ ସେତୁଟି ଦୁର୍ବଳ ହୋଇପଡିଥିବାରୁ, ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ପୁନଃରୁଦ୍ଧାର କରାଯିବା ସହିତ କାର୍ଯ୍ଯକ୍ଷମ କରାଯାଇଛି ଏବଂ ଏହା ଉପରେ ଭାରିଯାନ ଚଳାଚଳକୁ ବନ୍ଦ କରାଯାଇଛି। ପୂର୍ତ୍ତ ବିଭାଗ (ଆର୍ ଏଣ୍ଡ ବି) ପକ୍ଷରୁ ବର୍ତ୍ତମାନ ତରବରିଆ ଭାବରେ ଟିସିଆଇ ଛକରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ୯୦୦ ମିଟରର ଚାରି ଲେନ୍ ରାସ୍ତା (ପୂର୍ବରୁ ଦୁଇ ଲେନ୍ ରାସ୍ତା ରହିଛି) ଡିଭାଡର ସହିତ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ୯୦୦ ମିଟରର ଚାରି ଲେନ୍ ରାସ୍ତା ନିର୍ମାଣ ପାଇଁ ଖର୍ଚ୍ଚ ହେବ ୭,୩୨,୭୩୦୦୦ (୭ କୋଟି ୩୨ ଲକ୍ଷ ୭୩ ହଜାର) ଟଙ୍କା ହେବ ବୋଲି କହିଛନ୍ତି ରାଉରକେଲା ପୂର୍ତ୍ତ ବିଭାଗ (R & B) ଏସ୍.ଡି.ଓ. ନିତ୍ୟାନନ୍ଦ ସିଂ। ରାସ୍ତା ପ୍ରକଳ୍ପ ନିର୍ମାଣ ନେଇ ଠିକାଦାରଙ୍କ ପକ୍ଷରୁ କୌଣସି ସୂଚନା ଫଳକ ମଧ୍ଯ ରାସ୍ତା ନିର୍ମାଣ ସ୍ଥାନରେ ଲଗାଯାଇନାହିଁ। ସୂଚନା ଫଳକ ନେଇ ଆମେ ଏସ୍.ଡି.ଓ. ନିତ୍ୟାନନ୍ଦ ସିଂଙ୍କୁ ପଚାରିବାରୁ, ସେ ସୂଚନା ଫଳକ ଲଗାଯିବ କହି ଏଡେଇ ଯାଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ପାନପୋଷ ବ୍ରାହ୍ମଣୀ ନଦୀ ଉପରେ ଆଉ ଏକ ସେତୁ ନିର୍ମାଣ ଆରମ୍ଭ ନହୋଇ, ଦୁଇ ଲେନ୍ ରାସ୍ତା ନିର୍ମାଣ କେଉଁ ସ୍ବାର୍ଥରେ କରାଯାଉଛି ! ପୂର୍ତ୍ତ ବିଭାଗ (ଆର୍ ଆଣ୍ଡ ବି) ପକ୍ଷରୁ ବ୍ରାହ୍ମଣୀ ସେତୁ ୨୦୨୭-୨୦୨୮ ବର୍ଷରେ ନିର୍ମାଣ କରାଯିବା ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇଥିବା ବେଳେ, ରାସ୍ତା ନିର୍ମାଣ କେଉଁ ସ୍ବାର୍ଥରେ ପ୍ରଥମେ ସମ୍ପୂର୍ଣ୍ଣ କରିବାକୁ ସ୍ଥିର କରାଯାଇଛି ବୋଲି ପ୍ରଶ୍ନ ଉଠୁଛି। ଏଠାରେ ସ୍ମରଣଯୋଗ୍ଯ ଯେ, ଟିସିଆଇ ଛକରୁ ବ୍ରାହ୍ମଣୀ ନଦୀ ପର୍ଯ୍ୟନ୍ତ ଚାରି ଲେନ୍ ରାସ୍ତା ନିର୍ମାଣ ପାଇଁ ସୁପ୍ରୀୟା କନଷ୍ଟ୍ରକସନକୁ ଠିକା ଦିଆଯାଇଥିବା ବେଳେ, ୯.୫ ଫୁଟ ଚଉଡା ବିଶିଷ୍ଟ ଡିଭାଡର ନିର୍ମାଣ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କ୍ଲିଅରାନ୍ସ ଅଦ୍ୟାବଧି ମିଳିପାରି ନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଡିଭାଇଡରରେ ଥିବା ବିଦେଶୀ ଦାମୀ ଗଛକୁ ସେଠାରୁ ଉଠାଇ ଅନ୍ୟତ୍ର ପ୍ରତିରୋପଣ ପାଇଁ ପୂର୍ତ୍ତ ବିଭାଗ (ଆର୍ ଆଣ୍ଡ୍ ବି) ପକ୍ଷରୁ ୫,୮୪୦୦୦ (୫ ଲକ୍ଷ ୮୪ ହଜାର) ଟଙ୍କା ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରଦାନ କରିଯାଇଥିଲେ ମଧ୍ୟ, ଏପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ତାହା କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସୁପ୍ରୀୟା କନଷ୍ଟ୍ରକସନ ମାଲିକ ପ୍ରଭାତ ସାହୁ। ଟିସିଆଇ ଛକରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ୯୦୦ ମିଟର ଲମ୍ବ ଚାରି ଲେନ୍ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠୁଥିବାବେଳେ, ଦକ୍ଷିଣ-ପୂର୍ବ ରେଳପଥ ଏବଂ ଟିସିଆଇ ଛକରୁ ବ୍ରାହ୍ମଣୀ ସେତୁ ରାସ୍ତା ମଧ୍ଯବର୍ତ୍ତୀ ଏରିୟାରେ ଏକ ୧୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ନିର୍ମାଣ ଯୋଗୁଁ ଏହି ଚାରି ଲେନ୍ ରାସ୍ତା ନିର୍ମାଣ ଜୋରସୋରରେ ଚାଲିଛି ବୋଲି ଚର୍ଚ୍ଚା ଚାଲିଛି। ଏହି ଚାରି ଲେନ୍ ରାସ୍ତା ନିର୍ମାଣ ହେଲେ, ନିର୍ମାଣାଧୀନ ଆପାର୍ଟମେଣ୍ଟ ପାଇଁ ଏହି ରାସ୍ତା ବିଶେଷ ସହାୟକ ହେବ ବୋଲି ସୂଚନା ମିଳିଛି। ଅନ୍ଯପକ୍ଷରେ ନିର୍ମାଣାଧୀନ ଆପାର୍ଟମେଣ୍ଟକୁ ଯିବା ଆସିବା କରୁଥିବା ଗାଡିଗୁଡିକର ଚକରେ ମାଟି ଲାଗି ପିଚୁ ରାସ୍ତାକୁ କର୍ଦ୍ଦମାକ୍ତ କରୁଥିବାରୁ ଏହି ବ୍ଯସ୍ତବହୁଳ ରାସ୍ତାରେ ସଡକ ଦୁର୍ଘଟଣା ଆଶଙ୍କା ଦେଖାଦେଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, ନୂତନ ଭାବେ କୌଣସି ନୂଆ ପୋଲୋ (ସେତୁ) ତିଆରି କରିବା ପାଇଁ ଯୋଜନା ନଥିବା ବେଳେ କିପରି ଭାବରେ ପୂର୍ତ୍ତ ବିଭାଗ ପକ୍ଷରୁ ପୁରୁଣା ପୋଲୋ (ସେତୁ)କୁ ତରବରିଆ ଭାବରେ ନୂତନ ରାସ୍ତା ସହିତ ସଂଯୋଗ କରିବା ପାଇଁ ଯୋଜନା କରାଯାଇଛି। ଏହି ଯୋଜନା ମାଧ୍ୟମରେ ଯଦି ଉକ୍ତ ରାସ୍ତାକୁ ସଂଯୋଗ କରାଯାଏ, ତେବେ ରାସ୍ତାର ଦୁର୍ଘଟଣାକୁ ଆମନ୍ତ୍ରଣ କରାଯିବା ସହିତ ପରିପୂରକ ହେବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହାକୁ ଜାଣି ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟକୁ ଜୋରଜବରଦସ୍ତ କରାଇବା ପାଇଁ ଉଦ୍ୟମ କରାଯାଉଛି। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣଧୀନ ଚାରି ଲେନ୍ ରାସ୍ତାକୁ ନେଇ ପ୍ରଶ୍ନ ଉଠୁଥିଲା ବେଳେ, ଏହା କାହା ସ୍ବାର୍ଥରେ ? ବ୍ରାହ୍ମଣୀ ସେତୁ ନିର୍ମାଣ ପୂର୍ବରୁ ରାସ୍ତା ନିର୍ମାଣ ଚାଲିଛି ବୋଲି, ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ।

