ରାଇଘର…ନରସିଂବାଘ ..୧୯/୦୭.(ଉତ୍କଳ ସମାଚାର) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ କରୁଛନ୍ତି |ଯୋଜନା ସବୁ ମଧ୍ୟ କାର୍ଯ୍ୟକାରୀ ହେଉଛି |ଗ୍ରାମ ଗୁଡିକୁ ସହର ସହିତ ଯୋଡିବା ପାଇଁ ମଧ୍ୟପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଭଲି ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି |ହେଲେ ସ୍ଥାନୀୟ ପ୍ରଶାସନ ତଥା ପ୍ରଶାସନିକ ଅଧିକାରୀ ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ସ୍ୱାଧୀନତା ଅନେକ ବର୍ଷ ପରେ ବି ଗ୍ରାମାଞ୍ଚଳର ବିକାଶ ହୋଇପାରୁନାହିଁ |ଆଜି ବି ଏମିତି ଗାଁ ଗୁଡିକ ଅଛି ବର୍ଷା ଦିନ ମାନଙ୍କରେ ଉକ୍ତ ଗ୍ରାମ ଗୁଡିକୁ ଯିବା କଷ୍ଟକର |ଏମିତି ଏକ ଗାଁ ରହିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା ପଂଚାୟତ ଅଧୀନରେ |ଗ୍ରାମରେ 30ପରିବାର ଦୀର୍ଘ ବର୍ଷ ହେବ ବସବାସ କରି ଆସୁଥିବା ବେଳେ 150ରୁ ଉର୍ଦ୍ଧ ଜନସାଧାରଣ ଏହି ଗ୍ରାମରେ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି |ଗ୍ରାମରେ ନା ଅଛି ଅଙ୍ଗନବାଡି କେନ୍ଦ୍ର ନା ଅଛି ବିଦ୍ୟାଳୟ |ପଂଚାୟତ ସଦର ମହକୁମା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଏହି ଯାନୀପାରା ଗ୍ରାମଟି ଏବେ ବି ରାସ୍ତା ଓ ଶିକ୍ଷା ଭଲି ମୌଳିକ ସୁବିଧାରୁ ବଂଚିତ ରହିଛି |କୁରୁପାରା ଠାରୁ ଯାନୀପାରା ପର୍ଯ୍ୟନ୍ତ 2କିଲୋମିଟର ବାଟ କାଦୁଅରେ ଭାସୁଛି |ଗ୍ରାମର ଗର୍ଭବତୀ ଓ ଗୁରୁତର ରୋଗୀ ମାନଙ୍କୁ ଡାକ୍ତରଖାନା ନେବାକୁ ହେଲେ ଲୋକଙ୍କୁ କାଦୁଅରେ ପହଁରି କି ଯିବାକୁ ପଡୁଛି |ପ୍ରଶାସନ ଉକ୍ତ ଗ୍ରାମ ଉପରେ ଦୃଷ୍ଟି ଦେଇ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି |

