ରାଉରକେଲା ୨୦/୭,(ଉତ୍କଳ ସମାଚାର) ଆଜି ହେରାପଞ୍ଚମୀ, ଉଦିତନଗର ଓରାମପଡା ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଶ୍ରୀ ଗୁଣ୍ଡିଚା ମନ୍ଦିର)ର ଆଡପ ମଣ୍ଡପରେ ବିଜେ ହୋଇଛନ୍ତି ହନୁମାନ ବାଟିକା ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ। କର୍ମ ବେଦୀରୁ ଜନ୍ମ ବେଦୀ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ଆଡପ ମଣ୍ଡପରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁ। ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରରେ ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିତିକାନ୍ତି ସହ ସକାଳ ଧୂପ ସମ୍ପନ୍ନ ହୋଇଥିଲା। ମଧ୍ୟାହ୍ନରେ ଆଡପ ଅଭଡା ପ୍ରସ୍ତୁତ ପରେ ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରସାଦଲାଗି ସହ ଆଳତୀ ହୋଇଥିଲା। ମହାପ୍ରଭୁଙ୍କ ଆଡପ ଅଭଡା ସେବନ ପାଇଁ ଉଦିତନଗର, ଓରାମପଡା, ଶୀତଳପଡା, ପାଓ୍ବାର ହାଉସ୍ ରୋଡ ସମେତ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିଲା। ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର କର୍ତ୍ତା ସୁନାକର ନାୟକ, ସହଧର୍ମିଣୀ ଶ୍ରୀମତୀ ମଞ୍ଜୁସା ନାୟକ, ପୁରୋଧା ଶ୍ରୀମତୀ ସବିତା ରାୟ, ପ୍ରମୋଦ କୁମାର ନାୟକ, ବାବୁଲା ନାୟକ, ଡି ଉପେନ୍ଦ୍ର, ଯୋଗେନ୍ଦ୍ର ନାୟକ, ରାଜୁ ଭୂୟାଁ, ଉତ୍ତମ ଜୟପୁରିଆ, କଳ୍ପତରୁ ସେଠୀଙ୍କ ସମେତ ରୁଦ୍ରବାବା ଆଖଡା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ପ୍ରସାଦ ସେବନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ହୋଇ ଅଣସର ଘରେ ରହି ଆରୋଗ୍ୟ ହେବା ପରେ ରଥଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ଓ ଶ୍ରୀସୁଦର୍ଶନଙ୍କ ସହିତ ମାଉସୀ ମା ମନ୍ଦିର ଅର୍ଥାତ୍ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ। ଏକଥା ଶ୍ରୀ ମହାଲକ୍ଷ୍ମୀଙ୍କୁ ଅଗୋଚର ଥିଲା। ମନ୍ଦିରରେ ଶ୍ରୀମହାଲକ୍ଷ୍ମୀ ମହାପ୍ରଭୁଙ୍କୁ ନପାଇ ଆଜି ହେରାପଞ୍ଚମୀରେ ଶ୍ରୀଜଗନ୍ନାଥଙ୍କୁ ଦେଖା କରିବାକୁ ଆସିଥିଲେ। ଏଠାରେ ମଧ୍ୟ ମହାପ୍ରଭୁଙ୍କ ସହିତ ମହାଦେବୀଙ୍କ ସାକ୍ଷାତ ହୋଇପାରି ନଥିଲା। ତେଣୁ ଶ୍ରୀ ମହାଲକ୍ଷ୍ମୀ ରାଗି ଯାଇ ରଥରୁ ଖଣ୍ଡେ ଭାଙ୍ଗି ଦେଇ ଫେରିଯାଇଥିଲେ। ଏହା ହେଉଛି ହେରାପଞ୍ଚମୀର ମାହାତ୍ମ୍ୟ। ଆଜି ହେରାପଞ୍ଚମୀରେ ଶ୍ରୀ ମହାଲକ୍ଷ୍ମୀ ମାଉସୀ ମାଆ ମନ୍ଦିର ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହକୁ ରାତିରେ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମନ୍ଦିର କମିଟି ପକ୍ଷରୁ ହେରାପଞ୍ଚମୀ ପାଇଁ ଆୟୋଜନ କରାଯାଇଛି।

