ରାଉରକେଲା:20//7,(ଉତ୍କଳ ସମାଚାର)ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ କବି ଦିବାକର ଦାସଙ୍କ କବିତା ପୁସ୍ତକ ‘ଭାବ ବୀଥିକା ‘ ଲୋକାର୍ପିତ ହୋଇ ଯାଇଛି। ସାହିତ୍ୟ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ମୁଖ୍ୟ ଅତିଥି ଭାବରେ ଏବଂ କବି ତାରିଣୀ ଚରଣ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। କବୀ ବିଜୟିନୀ ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉନ୍ମୋଚନ ସଭାରେ କବି ମଞ୍ଜୁଳା କୁମାରୀ ରଥ ସମ୍ମାନିତ ବକ୍ତା ଭାବରେ ଏବଂ କବି ଉପେନ୍ଦ୍ର ବସ୍ତିଆ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ସର୍ବ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଉପରେ ପଞ୍ଚାବନ ଗୋଟି କବିତା ସ୍ଥାନିତ ହୋଇଥିବା ପୁସ୍ତକ ‘ଭାବ ବୀଥିକା’ ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କବି ଦିବାକର ଦାସ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ପ୍ରକାଶିକା କଲ୍ୟାଣୀ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ କବି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱରେ ଏବଂ କବୀ ସୁମିତ୍ରା ମିଶ୍ର ଓ ମମତା ଜେନାଙ୍କ ସଂଯୋଜନାରେ ଲୋକାର୍ପିତ ପୁସ୍ତକରୁ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରମେଶ ଚନ୍ଦ୍ର ସାମନ୍ତଙ୍କ ଦ୍ୱାରା ‘ଘନ କାଳିଆ ନୀଳାଚଳିଆ ‘, ଅଶୋକ କୁମାର ପଟ୍ଟନାୟକଙ୍କ ଦ୍ୱାରା ‘ଲୀଳାମୟ ଶ୍ରୀଜଗନ୍ନାଥ’ , ଭୀମ ସେନ ସାହୁଙ୍କ ଦ୍ୱାରା ‘ହେ ଈଶ୍ୱର’, ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାରା ‘ ମନ ଅଗଣାକୁ ଆସ ମହାପ୍ରଭୁ ‘, ନିକୁଞ୍ଜ ବିହାରୀ ଦାଶଙ୍କ ଦ୍ୱାରା ‘ ତୁମେ ଜଗତର ନାଥ ‘, କୁଞ୍ଜ ବିହାରୀ ରାଉତଙ୍କ ଦ୍ୱାରା ‘ କଳା ଶ୍ରୀମୁଖ ‘, ଦୀପ୍ତି ମହାନ୍ତିଙ୍କ ଦ୍ୱାରା ‘ ପ୍ରଭୁ ଜଗନ୍ନାଥ ପତିତପାବନ’ , ସବିତା ବସ୍ତିଆଙ୍କ ଦ୍ୱାରା ‘ଦେବ ସ୍ନାନ ପୂର୍ଣ୍ଣିମା’, ଗୀତାରାଣୀ ବେହେରାଙ୍କ ଦ୍ୱାରା ‘ କଦମ୍ବ ମୂଳେ ଜଗନ୍ନାଥ ‘, ଗୌତମ ଦାସଙ୍କ ଦ୍ୱାରା ‘ରଥ ଯାଏ ଗଡି’, ତ୍ରିପର୍ତି ନାରାୟଣ ମିଶ୍ରଙ୍କ ଦ୍ୱାରା ‘ ନୀଳାଦ୍ରି ମଣ୍ଡପ’, କନକ ଲତା ଦାସଙ୍କ ଦ୍ୱାରା ‘ହେ କଳା ସାଆନ୍ତ’, ସତ୍ୟ ଦାସଙ୍କ ଦ୍ୱାରା ‘ କଳା ଶ୍ରୀମୁଖ ‘ କବିତା ପାଠ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀ ଯୋଗଦାନ କରିଥିଲେ। ଶେଷରେ ପ୍ରକାଶିକା କଲ୍ୟାଣୀ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

