ରାଉରକେଲା ୨୧/୭,(ଉତ୍କଳ ସମାଚାର) ଆଜି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲର କାଲୋସିରିଆ ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଶ୍ରୀମତୀ ଅନିତା ଜେନାଙ୍କୁ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ପୈତୃକ ଜମିର ଡିମାର୍କେସନ୍ ରିପୋର୍ଟ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଜମିର ଡିମାର୍କେସନ ପାଇଁ ଆବେଦନକାରୀ କିଛି ମାସ ପୂର୍ବରୁ ଆବେଦନ କରିଥିଲେ। ଆବେଦନକାରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ, ଅଭିଯୁକ୍ତ ଆର ଆଇ ଶ୍ରୀମତୀ ଜେନା ଡିମାର୍କେସନ୍ ରିପୋର୍ଟ ପ୍ରଦାନ କରିବାରେ ବିଳମ୍ବ କରୁଥିଲେ। ଅଭିଯୁକ୍ତ ଆରଆଇ ଶ୍ରୀମତୀ ଜେନା ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଆବେଦନକାରୀଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀଙ୍କୁ (ଅଭିଯୋଗକାରୀଙ୍କୁ) ଏହା ବିରକ୍ତ କରିଥିଲା ଏବଂ ସେ ଆରଆଇ (ଶ୍ରୀମତୀ ଅନୀତା ଜେନା)ଙ୍କ ଦ୍ୱାରା ହଇରାଣ ହରକତ ହେଉଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଦଳ ଅଭିଯୋଗକାରୀଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆର ଆଇ ଶ୍ରୀମତୀ ଅନୀତା ଜେନାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଶ୍ରୀମତୀ ଜେନାଙ୍କ ଠାରୁ ସମସ୍ତ ରଙ୍ଗବୋଳା ଲାଞ୍ଚ ୪,୦୦୦ ଟଙ୍କା ଉଦ୍ଧାର କରାଯିବା ସହିତ ଜବତ କରାଯାଇଛି।ରଆଇ ଶ୍ରୀମତୀ ଆରତୀ ଜେନାଙ୍କ ବାସଭବନ ସମେତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଜାରି ରହିଛି। ରାଉରକେଲା ଭିଜିଲାନ୍ସ ଥାନା ପକ୍ଷରୁ ମାମଲା ନଂ.୦୫, ତାରିଖ ୨୦-୦୭-୨୦୨୬ରେ ୨୦୧୮ ପି.ସି.(ସଂଶୋଧନ) ଆଇନର ୭ ଧାରାରେ ଏକ ମାମଲା ପଞ୍ଜିକୃତ କରାଯାଇଛି। ଅଭିଯୁକ୍ତ ଆର ଆଇ ଶ୍ରୀମତୀ ଅନୀତା ଜେନାଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

