ରାଇଘର:ନରସିଂବାଘ (ଉତ୍କଳ ସମାଚାର):୨୭/୦୭.ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡା ପଞ୍ଚାୟତର କଳିଆପଦର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରଚାର ପାଇବା ସହିତ ସମଗ୍ର ଅଞ୍ଚଳରେ ଶୋକର ଛାୟା ବିସ୍ତାରିତ ହୋଇଛି।ମୃତକାଙ୍କୁ କଳିଆପଦର ଗ୍ରାମର ସମାରୀ ବାଇ ଗଣ୍ଡ (୭୦) ବୋଲି ପରିଚୟ ମିଳିଛି। ସୂଚନା ଅନୁସାରେ, ଗତ ରାତ୍ରିରେ ସେ ଖାଦ୍ୟ ସେବନ ପରେ ନିଜ ଘରେ ଶୋଇଥିବା ବେଳେ ଅଚାନକ ସାପ କାମୁଡିଥିଲା। ପରେ ବିଛଣା ଉପରେ ସାପ ଥିବାକୁ ପରିବାର ଲୋକମାନେ ଦେଖିଥିବା କୁହାଯାଉଛି, ଯାହାରୁ ଘଟଣାଟି ସାପ କାମୁଡା ହେବା ସ୍ପଷ୍ଟ ହୋଇଥିଲା।ଘଟଣା ପରେ ଗୁରୁତର ଅବସ୍ଥାରେ ସମାରୀ ବାଇଙ୍କୁ ରାତି ପ୍ରାୟ ୨ଟା ସମୟରେ ତୁରନ୍ତ ରାଇଘର ମେଡିକାଲକୁ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଦ୍ରୁତ ଭାବେ ଅବନତି ହେବାରୁ ଡାକ୍ତରମାନେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ଉପଜିଲ୍ଲା ଚିକିତ୍ସାଳୟକୁ ରେଫର କରିଥିଲେ। ଉମରକୋଟରେ ପହଞ୍ଚିବା ପରେ ଡାକ୍ତରମାନେ ସମାରୀ ବାଇଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।ଏହି ଅକାଳ ମୃତ୍ୟୁ ଘଟଣା ପରେ କଳିଆପଦର ଗ୍ରାମରେ ଗଭୀର ଶୋକର ପରିବେଶ ଦେଖାଯାଇଛି। ପରିବାର ଓ ଗ୍ରାମବାସୀ ଦୁଃଖରେ ମୁହଁ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଗ୍ରାମାଞ୍ଚଳରେ ବଢ଼ୁଥିବା ସାପ କାମୁଡା ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।ସ୍ଥାନୀୟମାନଙ୍କ କହିବା ଅନୁସାରେ, ବର୍ଷା ଋତୁରେ ସାପ ଗ୍ରାମ ଅଞ୍ଚଳକୁ ପ୍ରବେଶ କରିବା ଘଟଣା ବଢ଼ିବାରୁ ଏପରି ଦୁର୍ଘଟଣା ଘଟୁଛି। ସେମାନେ ସରକାରଙ୍କୁ ଗ୍ରାମ ସ୍ତରରେ ସଚେତନତା କାର୍ଯ୍ୟକ୍ରମ, ସାପ ନିୟନ୍ତ୍ରଣ ବ୍ୟବସ୍ଥା ଓ ଆପତ୍କାଳୀନ ଚିକିତ୍ସା ସୁବିଧା ବୃଦ୍ଧି ପାଇଁ ଦାବି କରିଛନ୍ତି।ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହେବା ସମ୍ଭାବନା ରହିଛି। ଏପରି ଘଟଣା ପୁଣି ନ ଘଟେ, ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଅତ୍ୟାବଶ୍ୟକ ହୋଇପଡିଛି।

