ରାଉରକେଲା ୨୭/୭,(ଉତ୍କଳ ସମାଚାର) ବିଶ୍ରା ବ୍ଲକ ଅନ୍ତର୍ଗତ ଝିରପାଣି ଗ୍ରାମପଞ୍ଚାୟତର ଆଚାର୍ଯ୍ୟ କଲୋନୀ ସ୍ଥିତ ଭଡା ଘରେ ରହୁଥିବା ସନ୍ତୋଷ ପୃଷ୍ଟି ଆଜି ଦିନ ୧୨ଟା ସମୟରେ ରୋଷେଇ କରୁଥିବା ସମୟରେ ଗ୍ୟାସ ପାଇପ୍ ଲିକ ହୋଇଯାଇଥିଲା। ହଠାତ୍ ପାଇପାରେ ନିଆଁ ଲାଗି ଯାଇଥିଲା। ଘଟଣା ସ୍ଥଳରେ ସନ୍ତୋଷ ପୃଷ୍ଟିଙ୍କ ସାନ ପୁଅ ଗୌରଭ ପୃଷ୍ଟି ନିଆଁ ଆୟତ୍ତ କରିବାକୁ ଦୌଡି ଆସିଥିଲେ। ତେବେ ସେ ନିଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ତାଙ୍କ ହାତ ଓ ମୁହଁ ଜଳି ଯାଇଥିବା ବେଳେ ସନ୍ତୋଷ ପୃଷ୍ଟିଙ୍କ ଦୁଇ ହାତ ଓ ମୁହଁ ମଧ୍ୟ ନିଆଁ ଲାଗି ଜଳି ଯାଇଥିଲା। ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ଫୋନ୍ କରିବା ଦ୍ୱାରା ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକମାନେ ପ୍ରଥମେ ସିଡବ୍ଲୁଏସ୍ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖି ମନା କରିଦେବାରୁ, ତାଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ନିଆ ଯାଇଥିଲା। ସନ୍ତୋଷ ପୃଷ୍ଟିଙ୍କ ଘରେ ନିଆଁ ଲାଗିବା ଦ୍ୱାରା ତାଙ୍କର ଫ୍ୟାନ, କୁଲର, ରାସନ ସାମଗ୍ରୀ ତଥା ଅନ୍ୟାନ୍ୟ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି। ସନ୍ତୋଷ ପୃଷ୍ଟି ଏବଂ ତାଙ୍କ ପୁଅ ଗୌରବ ପୃଷ୍ଟି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

