ସମ୍ବଲପୁର,୨୮/୦୭(ଉତ୍କଳ ସମାଚାର),(ସରୋଜ ସାହୁ):‘ସମ୍ବଲପୁରୀ ଏକତା ମଞ୍ଚ’ ଆନୁକୁଲ୍ୟରେ ଆସନ୍ତା ଅଗଷ୍ଟ ୧ ଏବଂ ୨ ତାରିଖ ଦୁଇଦିନ ଧରି ସମ୍ବଲପୁରର ହୃଦୟସ୍ଥଳୀ ମ୍ୟୁନିସିପାଲିଟି ଛକସ୍ଥିତ ଗଙ୍ଗାଧର ମଣ୍ଡପଠାରେ ମହା ଆଡମ୍ବର ସହକାରେ ପାଳିତ ହେବାକୁ ଯାଉଛି ‘ସମ୍ବଲପୁରୀ ଦିନ୍’। ଏହି ଅନନ୍ୟ ମହାକୁମ୍ଭରେ ରାଜ୍ୟର ଅନେକ ନାମୀଦାମୀ କଳାକାର, ଲୋକକଳା ଦଳ, ସାଂସ୍କୃତିକ ଅନୁଷ୍ଠାନ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଭାଗନେଇ ନିଜର ଶ୍ରେଷ୍ଠ କଳାନୈପୁଣ୍ୟ ପ୍ରଦର୍ଶନ କରିବେ I ଏ ନେଇ ସମ୍ବଲପୁର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି I ଉତ୍ସବର ପ୍ରଥମ ଦିନ ପୂର୍ବାହ୍ନ ୧୦ ଘଟିକାରେ ବାଲିବନ୍ଧାରୁ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବ ଏବଂ ମ୍ୟୁନିସିପାଲିଟି ଛକରେ ପହଞ୍ଚିବ। ଏହାପରେ ଅପରାହ୍ନ ୩ ଘଟିକାରୁ ସାଂସ୍କୃତିକ ମଞ୍ଚରେ ମନୋରଞ୍ଜନର ମହାପ୍ରବାହ ଆରମ୍ଭ ହେବ। ଏହି ସନ୍ଧ୍ୟାରେ ଆଞ୍ଚଳିକ ଓ ରଙ୍ଗାରଙ୍ଗ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିବେ ସୌମ୍ୟଜିତ୍ ବଡ଼ପଣ୍ଡା, ତୁଳାରାମ କଲେତ୍, ପଦ୍ମିନୀ ଦୋରା, କମଲେଶ ଚକ୍ରବର୍ତ୍ତୀ, କାଳୀଚରଣ ଗୁରୁ (ମୈନୁ), ସୂର୍ଯ୍ୟ ଗୁରୁ, ଚେତନାମୟୀ ବେହେରା, ନୂପୁର ମଲ୍ଲିକ, ସୁପର୍ଣ୍ଣା ଛତ୍ରପାଲ, ପୁଷ୍ପରାଜ ସୁନା, ରାଜକୁମାର ଜାଲ୍, ମଣି ଚକ୍ରବର୍ତ୍ତୀ ଏବଂ ପ୍ରକୃତି ପଣ୍ଡାଙ୍କ ଭଳି ଖ୍ୟାତିସମ୍ପନ୍ନ ଗାୟକ ଓ ଗାୟିକାବୃନ୍ଦ I ଦ୍ଵିତୀୟ ଦିନ (ଅଗଷ୍ଟ ୨) ସକାଳ ୯ ଘଟିକାରୁ ପାରମ୍ପରିକ ଝୋଟି ପ୍ରତିଯୋଗିତା ଏବଂ ସୁସ୍ୱାଦୁ ପିଠା ପ୍ରତିଯୋଗିତା ଆରମ୍ଭ ହେବ। ଏଥିରେ ଆଞ୍ଚଳିକ ଗୃହିଣୀ ଓ ପ୍ରତିଯୋଗୀମାନେ ସମ୍ବଲପୁରୀ ପରମ୍ପରାର ଝଲକ ପ୍ରଦର୍ଶନ କରିବେ। ଅପରାହ୍ନ ୨ ଘଟିକାରେ ଆଞ୍ଚଳିକ ସାହିତ୍ୟିକ ଓ କବିମାନଙ୍କୁ ନେଇ ଏକ ଭାବପୂର୍ଣ୍ଣ କବି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଦିନ ସନ୍ଧ୍ୟା ୫ ଘଟିକାରୁ ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ‘ଫ୍ରେନ୍ସ ଅଫ୍ ସମ୍ବଲପୁର’ ଫ୍ୟାଶନ୍ ସୋ ଆରମ୍ଭ ହେବ। ଏଥିରେ ଆଶିଷ କୁମ୍ଭାର ଓ ତାଙ୍କ ଟିମ୍ଙ୍କ ଦମଦାର ପ୍ରଦର୍ଶନ ସହିତ ୱିଙ୍ଗସ୍, ଫ୍ଲାଟର ଫ୍ୟାଶନ୍ କ୍ରିୟୁ, ବି.ଏଚ୍. ଫ୍ୟାଶନ୍, ଆମ୍ବିସିଅସ୍ ଏକାଡେମୀ, ଫ୍ୟାଶନ୍ ଏକାଡେମୀ, ଆଇକନ୍ ଫ୍ୟାଶନ୍ କ୍ରିୟୁ, ଫେସ୍ ଟୁ ଫେସ୍ ଏବଂ ରୋୟାଲ୍ ଫେସ୍ ଭଳି ପ୍ରସିଦ୍ଧ ଫ୍ୟାଶନ୍ ଟିମ୍ ଗୁଡ଼ିକ ପାରମ୍ପରିକ ସମ୍ବଲପୁରୀ ବସ୍ତ୍ର ଓ ତନ୍ତୁ ଶିଳ୍ପର ମହିମା ପ୍ରଦର୍ଶନ କରିବେ। ଏହା ବ୍ୟତୀତ ଅଙ୍କନ ସ୍କୁଲ୍, ଆମ୍ବିସିଅସ୍ ଡାନ୍ସ ଏକାଡେମୀ, ଭଡ଼ାନ୍, ଫେସ୍ ଟୁ ଫେସ୍ ଜାମ୍ମୁ ଏକାଡେମୀ, ସମ୍ବଲ କଳା ନିକେତନ, ସୁଜାତା କ୍ରିଏସନ୍ ଏବଂ ବୀଣାପାଣି କଳା ବିକାଶ କେନ୍ଦ୍ର ଭଳି ପ୍ରମୁଖ ନୃତ୍ୟ ଅନୁଷ୍ଠାନ ସହିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, ବେଦିକ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ବିକାଶ ସ୍କୁଲ୍, ଦୟାନନ୍ଦ ପବ୍ଲିକ୍ ସ୍କୁଲ୍ ଏବଂ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ମନମୁଗ୍ଧକର ନୃତ୍ୟ ପ୍ରଦର୍ଶନ କରିବେ। ସମ୍ବଲପୁର କଳାପରିଷଦ, ଆଲୋକ ପଣ୍ଡାଙ୍କ ସମ୍ବଲପୁର ଟ୍ରାଇବାଲ୍ ଆଣ୍ଡ ଫୋକ୍ ସେଣ୍ଟର, ଧୀରଜ କରାଲୀଙ୍କ ସମ୍ବଲପୁରୀ ସାଂସ୍କୃତିକ ଅନୁଷ୍ଠାନ, କୃଷ୍ଣ ବାଘଙ୍କ ପଞ୍ଚବାଦ୍ୟ ଭଳି ବିଶିଷ୍ଟ ଲୋକକଳା ଦଳ ସମ୍ବଲପୁରୀ ମାଟିର ପାରମ୍ପରିକ ବାଦ୍ୟ ଓ ନୃତ୍ୟର ଝଙ୍କାରରେ ପରିବେଶକୁ ଉତ୍ସବମୁଖର କରିବେ। ସମ୍ବଲପୁରୀ ଭାଷା, କଳା, ବସ୍ତ୍ର ଏବଂ ସଂସ୍କୃତିକୁ ଭଲପାଉଥିବା ସମସ୍ତ କଳାପ୍ରେମୀ ଓ ଜନସାଧାରଣଙ୍କୁ ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ମହାକୁମ୍ଭର ଆନନ୍ଦ ନେବାକୁ ଆୟୋଜକ କମିଟି ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଇଛି।

